
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୧୬ଟି ମାମଲାରେ ଜଡିତ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ଏକ ପୁରୁଣା ଚୋରି ମାମଲାର ଫେରାର ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ୧୬ଟି ଚୋରି ମାମଲାରେ ସମ୍ପୃକ୍ତ ଅଭ୍ୟାସଗତ ଅପରାଧୀ ବୋଲି ପୋଲିସ କହିଛି । ଜାନୁଆରୀ ୧୯/୨୦୨୬ରେ ଗାନ୍ଧୀନଗର ୧୦ମ ଲେନ୍ ନିବାସୀ ଜନାର୍ଦନ ପଣ୍ଡା (୪୭) ଅଭିଯୋଗ କରିଥିଲେ ଯେ, ସେ ଶ୍ୱଶୁର ଘର ଗଞ୍ଜାମ ଯାଇଥିବା ବେଳେ ତାଙ୍କ ଘରୁ ଚୋରି ହୋଇଥିଲା । ଏନେଇ ଟାଉନ ଥାନା କେସ୍ ନଂ ୩୯/୨୬, ଦଫା ୩୩୧(୪)/୩୦୫/୧୧୨(୨)/୩(୫) ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁ ହୋଇଥିଲା । ସିସିଟିଭି ଫୁଟେଜ୍ ଓ ସାଇଣ୍ଟିଫିକ୍ ପ୍ରମାଣ ଆଧାରରେ ପୋଲିସ ଜାନୁଆରୀ ୨୮ରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ଶୁକ୍ରବାର ଭୋର ୪.୩୦ରେ ଫେରାର ଅଭିଯୁକ୍ତ ସନ୍ତୋଷ ସାହୁ ଓରଫ କମେଲେଶ (୨୩)କୁ ପୋଲିସ ଧରିଛି । ଗିରଫ କରିବା ସହ ତା’ ନିକଟରୁ ଚୋରି ହୋଇଥିବା ବ୍ୟାଗ, ଜାକେଟ୍, ଅଭିଯୋଗକାରୀ ଦମ୍ପତ୍ତିଙ୍କ ଆଧାର କାର୍ଡ, ନଗଦ ୨୨,୫୦୦ ଟଙ୍କା ଏବଂ ତାଲା ଭାଙ୍ଗିବାରେ ବ୍ୟବହୃତ ଟି-ଆକୃତି ବିଶିଷ୍ଟ ଲୁହା ରଡ୍ ଜବତ ହୋଇଛି । ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ପୋଲିସ ଜାରି ରଖିଛି ।