jayashree

ନୃସିଂହନାଥରେ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ନେଇ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଆଇଓସିଏଲ୍‌ ଧର୍ମଶାଳାରେ ଗନ୍ଧମାର୍ଦ୍ଦନ ଆୟୁର୍ବେଦ ପାରମ୍ପରିକ ବୈଦ୍ୟ ମହାସଂଘ, ବଲାଙ୍ଗିର ପକ୍ଷରୁ ଶୁକ୍ରବାର ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ପର୍ବତମାଳାରେ ରହିଥିବା ପାରମ୍ପରିକ ଔଷଧୀୟ ଉଦ୍ଭିଦ ଓ ପ୍ରାଚୀନ ଔଷଧୀୟ ଜ୍ଞାନର ସଂରକ୍ଷଣ ତଥା ପ୍ରଚାର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଶନିବାରଠାରୁ ଆରମ୍ଭ ହୋଇ ସୋମବାର ପର୍ଯ୍ୟନ୍ତ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ପ୍ରାଚୀନ ବନୌଷଧି ବିଜ୍ଞାନ ସମ୍ପର୍କରେ କର୍ମଶାଳା ଆୟୋଜିତ ହେବ । ବିଭିନ୍ନ ଔଷଧୀୟ ଉଦ୍ଭିଦର ପରିଚୟ, ତାହାର ପାରମ୍ପରିକ ବ୍ୟବହାର ଏବଂ ବନୌଷଧି ସମ୍ପଦର ସୁରକ୍ଷା ଉପରେ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି । ପ୍ରାଚୀନ ବନୌଷଧି ଜ୍ଞାନକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ଯୁବପିଢ଼ିଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି । କାର୍ଯ୍ୟକ୍ରମରେ ଆୟୁର୍ବେଦ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଅଞ୍ଚଳର ପାରମ୍ପରିକ ବୈଦ୍ୟମାନେ ଯୋଗଦେବେ । ଏହା ମାଧ୍ୟମରେ ପାରମ୍ପରିକ ବନୌଷଧି ଜ୍ଞାନର ଆଦାନପ୍ରଦାନ ସହ ଏହାର ସଂରକ୍ଷଣ ଓ ଅଧ୍ୟୟନ ଦିଗରେ ଆଲୋଚନା ହେବ ବୋଲି ଆୟୋଜକମାନେ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ବୈଦ୍ୟ ଶାନ୍ତନୁ କୁମାର ବୁଦ୍ଧିଆ, ଡାକ୍ତର ନିଗମାନନ୍ଦ ବଳ, ବୈଦ୍ୟ ହରିଶ୍ଚନ୍ଦ୍ର ବେହେରା, ବୈଦ୍ୟ ଜେଠୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.