jayashree

ବିଶ୍ୱ ମାନ୍ଦା ସତ୍ତ୍ୱେ ଏନଆଇଟି ରାଉରକେଲାର ବଡ ସଫଳତା, ୧୩୪୦ ଛାତ୍ରଙ୍କୁ ମିଳିଲା ନିଯୁକ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ଆର୍ଥିକ ମାନ୍ଦା ଏବଂ ବିଭିନ୍ନ ବଡ କମ୍ପାନୀରେ ଛଟେଇ ଚାଲିଥିବା ବେଳେ ଏନଆଇଟି ରାଉରକେଲା ପୁଣି ଥରେ ନିଜର ଶ୍ରେଷ୍ଠତା ପ୍ରମାଣ କରିଛି । ୨୦୨୫-୨୬ ବର୍ଷର ପ୍ଲେସମେଣ୍ଟ ଡ୍ରାଇଭରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ମୋଟ ୧,୩୪୦ଟି ପ୍ଲେସମେଣ୍ଟ ଅଫର ମିଳିଛି । ଏହା ସହିତ ୩୬୪ଟି ଛଅ ମାସିଆ ଇଣ୍ଟର୍ନସିପ୍ ଅଫର ମଧ୍ୟ ମିଳିଛି, ଯାହା ପରେ ପ୍ରି-ପ୍ଲେସମେଣ୍ଟ ଅଫର (ପିପିଓ)ରେ ପରିଣତ ହେବାର ସମ୍ଭାବନା ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରି-ଫାଇନାଲ ବର୍ଷର ଛାତ୍ରମାନେ ରେକର୍ଡ ୨୫୮ଟି ସାମର ଇଣ୍ଟର୍ନସିପ୍ ପାଇଛନ୍ତି, ଯାହା ଏନଆଇଟି ରାଉରକେଲା ଇତିହାସରେ ସର୍ବାଧିକ । ଆଗାମୀ ବର୍ଷ ପ୍ଲେସମେଣ୍ଟ ପାଇଁ ଏହା ଏକ ଶୁଭ ସଙ୍କେତ । ବି.ଟେକ୍‌ରେ ୯୫.୪୭% ପ୍ଲେସମେଣ୍ଟ:ଏହି ବର୍ଷ ବି.ଟେକ୍ ପ୍ଲେସମେଣ୍ଟ ୯୫.୪୭ ପ୍ରତିଶତ ରହିଛି । ଏହି ବର୍ଷର ସର୍ବାଧିକ ପ୍ୟାକେଜ୍ ହେଉଛି ବାର୍ଷିକ ୧ କୋଟି ୩୧ ଲକ୍ଷ ଟଙ୍କା । କମ୍ପ୍ୟୁଟର ସାଇନ୍ସ ବିଭାଗର ଜଣେ ଛାତ୍ର ୮୩.୬୦ ଲକ୍ଷ ଟଙ୍କାର ଦ୍ୱିତୀୟ ସର୍ବାଧିକ ପ୍ୟାକେଜ ପାଇଛନ୍ତି । ବି.ଟେକ୍‌ର ହାରାହାରି ପ୍ୟାକେଜ ୧୫.୩୩ ଲକ୍ଷ ଏବଂ ମଧ୍ୟମ ପ୍ୟାକେଜ ୧୨.୫୦ ଲକ୍ଷ ରହିଛି । ବାୟୋମେଡିକାଲ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ସେରାମିକ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଏବଂ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ୧୦୦% ପ୍ଲେସମେଣ୍ଟ ହୋଇଛି । ଏହା ବ୍ୟତୀତ ବାୟୋଟେକ୍ନୋଲୋଜି, ସିଭିଲ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନ, ଇଣ୍ଡଷ୍ଟ୍ରିଆଲ ଡିଜାଇନ ଏବଂ ମେଟାଲର୍ଜିକାଲ ବିଭାଗରେ ୯୦%ରୁ ଅଧିକ ପ୍ଲେସମେଣ୍ଟ ହୋଇଛି । ଏମ.ଟେକ୍ ଏବଂ ଇଣ୍ଟର୍ନସିପ୍:ଏମ.ଟେକ୍ ରେ ମଧ୍ୟ ଭଲ ପ୍ରଦର୍ଶନ ରହିଛି । ସର୍ବାଧିକ ୪୬.୩୮ ଲକ୍ଷ ଟଙ୍କା ପ୍ୟାକେଜ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ରଙ୍କୁ ମିଳିଛି, ଦ୍ୱିତୀୟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ବିଭାଗରେ ୪୪ ଲକ୍ଷ । ହାରାହାରି ୧୧.୯୦ ଲକ୍ଷ । ଇଣ୍ଟର୍ନସିପ୍‌ରେ ସର୍ବାଧିକ ମାସିକ ଷ୍ଟାଇପେଣ୍ଡ ୧.୫୦ ଲକ୍ଷ ଟଙ୍କା ରହିଛି । ୮୩ରୁ ଅଧିକ ଛାତ୍ର ୩୦ ଲକ୍ଷରୁ ଅଧିକ ପ୍ୟାକେଜ ପାଇଛନ୍ତି । ୩୭୪ କମ୍ପାନୀର ଅଂଶଗ୍ରହଣ : ଚଳିତ ବର୍ଷ ୩୭୪ଟି କମ୍ପାନୀ ପ୍ଲେସମେଣ୍ଟ ଡ୍ରାଇଭରେ ଅଂଶ ନେଇଥିଲେ, ଯେଉଁଥିରୁ ପ୍ରାୟ ୫୦% ପ୍ରଥମ ଥର ପାଇଁ ଏନଆଇଟି ରାଉରକେଲା ଆସିଥିଲେ । ସଫ୍ଟୱେର ଏବଂ ଆଇଟି ସେବା କ୍ଷେତ୍ରରୁ ସର୍ବାଧିକ କମ୍ପାନୀ ଆସିଥିଲେ, ତା’ପରେ ମ୍ୟାନୁଫାକ୍ଚରିଂ, ବିଏଫଏସଆଇ, ଇଲେକ୍ଟ୍ରୋନିକ୍ସ ଏବଂ ଶିକ୍ଷା କ୍ଷେତ୍ର ରହିଛି । ସଫ୍ଟୱେର ଇଞ୍ଜିନିୟର, ହାର୍ଡୱେର ଇଞ୍ଜିନିୟର, ଡାଟା ଆନାଲିଷ୍ଟ, ବିଜନେସ ଆନାଲିଷ୍ଟ ଭଳି ପଦବୀ ମିଳିଛି । କ୍ୟାରିୟର ଡେଭଲପମେଣ୍ଟ ସେଣ୍ଟର ମୁଖ୍ୟ ପ୍ରଫେସର ସୁରଜିତ ଦାସ କହିଛନ୍ତି ଯେ, କୋର ସେକ୍ଟରରୁ ୪୧.୬୯% ଅଫର ଆସିଛି, ସଫ୍ଟୱେର ଓ ଆଇଟିରୁ ୧୭.୭୯%, ପାୱାର ଆଣ୍ଡ ହେଭିରୁ ୧୩.୭୭% ଏବଂ ବିଏଫଏସଆଇରୁ ୧୧.୫୨% ଅଫର ଆସିଛି । ଏହି ଅବସରରେ ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, “ଏନଆଇଟି ରାଉରକେଲାରେ ଆମେ ଛାତ୍ରଙ୍କୁ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତ କରୁଛୁ । ଏହି ସଫଳତା ଛାତ୍ରଙ୍କ ପରିଶ୍ରମ ଏବଂ କ୍ୟାରିୟର ସେଣ୍ଟରର ସହଯୋଗର ଫଳ । “ଟପ୍ ରିକ୍ରୁଟର ମଧ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ, ବିଇଏଲ, ଜେଏସଡବ୍ଲୁ, ଏଲଆଣ୍ଡଟି, ବେଦାନ୍ତ, ଟେକ୍ସାସ ଇନଷ୍ଟ୍ରୁମେଣ୍ଟ, ଏକ୍ସନମୋବିଲ, ରିଲାଏନ୍ସ, ଟିସିଏସ, ଡେଲୋଏଟ, ଏଚପିସିଏଲ, ଟାଟା ଷ୍ଟିଲ, ଆଇସିଆଇସିଆଇ ବ୍ୟାଙ୍କ, କ୍ୱାଲକମ ଭଳି ବଡ କମ୍ପାନୀ ରହିଛନ୍ତି ।

Leave A Reply

Your email address will not be published.