jayashree

ଅଢେଇ ବର୍ଷ ପୁରୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ରାଉରକେଲା ପୋଲିସ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଥାନାର ଏକ ଅଢେଇ ବର୍ଷ ପୁରୁଣା ଅଜଣା ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ମାମଲା ନଂ – ଝିରପାଣି ଥାନା କେସ୍ ନଂ ୪୫/ ୦୮.୦୩.୨୦୨୪, ଧାରା ୩୬୪/୩୭୯/୩୦୨ ଆଇପିସି । ମୃତକ ହେଉଛନ୍ତି ବିଶ୍ରା ଜାମବର୍ଣ୍ଣାର ମଙ୍ଗଳ ଓରାମ । ୨୮.୦୨.୨୦୨୪ରେ ସେ ନିଜର ମହିନ୍ଦ୍ରା ପିକ୍-ଅପ୍ (ଓଡ଼ି-୧୪-କ୍ୟୁ-୩୬୪୮) ନେଇ ଝିରପାଣି ସାପ୍ତାହିକ ହାଟକୁ ଯାଇଥିଲେ ଏବଂ ସେଠାରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ଅଜଣା ମୃତଦେହ ଝାଡଖଣ୍ଡ ସିମଡେଗା ଜିଲ୍ଲା ଜଲଡେଗା ଥାନା ଅନ୍ତର୍ଗତ ଖରୱାଗଡା ନିକଟ ଏକ ପାଣି ଭର୍ତ୍ତି ବିଲରୁ ଉଦ୍ଧାର କରାଯାଇଥିଲା । ମୃତଦେହ ଚିହ୍ନଟ ପରେ ୦୮.୦୩.୨୦୨୪ ରେ ଝିରପାଣି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଦୀର୍ଘ ତଦନ୍ତ ପରେ ରାଉରକେଲା ପୋଲିସ ରାହୁଲ ଓରଫ ସର୍ଦ୍ଧନ ଶର୍ମା (୪୮) ଏବଂ ଅଜୟ ପାତ୍ର (୩୩)ଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ, ୨୮.୦୨.୨୦୨୪ ଦିନ ସକାଳ ପ୍ରାୟ ୧୦.୩୦ଟାରେ ଅଭିଯୁକ୍ତମାନେ ଝିରପାଣି ହାଟରୁ ମାଲ ପରିବହନ ବାହାନାରେ ମଙ୍ଗଳଙ୍କ ଗାଡି ଭଡା ନେଇଥିଲେ । କେଟିଏଚ୍‌ ଛକ ନିକଟରେ ଚା’ରେ ନିଶା ବଟିକା ମିଶାଇ ତାଙ୍କୁ ଅଚେତ କରିଥିଲେ ଏବଂ ପରେ ଗାଡି ସହ ଝାଡଖଣ୍ଡ ଆଡକୁ ନେଇଯାଇଥିଲେ । ଖରୱାଗଡା ନିକଟ ବିଲରେ ଅଚେତ ଅବସ୍ଥାରେ ତାଙ୍କୁ ଫୋପାଡି ଦେବାରୁ ପାଣିରେ ବୁଡି ତାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତମାନେ ପିକ୍‌ଅପ୍‌କୁ ୧.୭୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ପୋଲିସ ଚୋରି ଗାଡିକୁ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ ଚୋରି ଓ ଲୁଟ୍ ମାମଲା ରହିଛି । ଅନ୍ୟ ସହଯୋଗୀ ଓ ଅନ୍ୟ ଚୋରି ଗାଡି ସମ୍ପର୍କରେ ତଦନ୍ତ ଜାରି ରହିଛି । ରାଉରକେଲା ଏସ୍‌ପି କହିଛନ୍ତି, କେତେ ବର୍ଷ ପୁରୁଣା ହେଲେ ମଧ୍ୟ ଗୁରୁତର ଅପରାଧର ପର୍ଦ୍ଦାଫାଶ ପାଇଁ ପୋଲିସ ପ୍ରତିବଦ୍ଧ ।

Leave A Reply

Your email address will not be published.