
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଏଏସ୍ ଫଳାଫଳ ପ୍ରକାଶ ପାଇଛି । ଆଜି ସୋନପୁର ମାଟି ପାଇଁ ଏକ ଐତିହାସିକ ଦିନ । ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ୨୦୨୫ର ଚୂଡାନ୍ତ ଫଳାଫଳରେ ସୋନପୁରର ଗୌରବ ନୀତେଶ କୁମାର ବାରିକ ରାଜ୍ୟରେ ୮ ନମ୍ବର ରେଙ୍କ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ସେହିପରି ସହରର ଶୀତଲ କୁଶଳ ୧୩୪ ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ଉଭୟେ ପ୍ରଥମ ଥର ପରୀକ୍ଷାରେ ଏହି ସଫଳତା ପାଇଛନ୍ତି । ନିତେଶଙ୍କ ପିତା ସାନନ୍ଦ ବାରିକ ଜଣେ ଯୁବନେତା ତଥା ମା’ ଦମୟନ୍ତୀ ବାରିକ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନ ଜନମୁରା ଗ୍ରାମପଞ୍ଚାୟତର ସରପଞ୍ଚ ଅଛନ୍ତି । ସେହିପରି ଶୀତଲ କୁଶଲ ସୋନପୁରର ଯୁବ ବିଜେଡି ନେତା ତଥା ପୂର୍ବତନ ଓଡ଼ିଶା ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ବଡ଼ଝିଅ ଅଟନ୍ତି । ଉଭୟେ ସୁବର୍ଣ୍ଣପୁର ସହରର ହୋଇଥିବା ଯୋଗୁଁ ଆଜି ସହରରେ ଖୁସିର ମାହୋଲ ପ୍ରକାଶ ପାଇଛି ଓ ତାଙ୍କର ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ସନ୍ଧ୍ୟାରେ ଭାରତ ବିକାଶ ପରିଷଦ, ସ୍ୱଚ୍ଛ ଭାରତ ସଙ୍ଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶୀତଲ କୁଶଳଙ୍କ ବାପା ଅଭିମନ୍ୟୁ କୁଶଳଙ୍କୁ ପ୍ରଥମେ ସମ୍ବର୍ଧନା ଜ୍ଞାପନ କରିଛନ୍ତି ।