jayashree

ସୁଶୀଲ ମିଶ୍ର ଏବଂ ଅଚ୍ୟୁତ ପୁରୋହିତଙ୍କୁ ଝାଏଁରେ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ବ୍ୟଙ୍ଗ ହେଉଛି ଅନ୍ଧାରକୁ ଭେଦ କରିବାର ଏକ ଆଲୋକିତ ତୀର । ଆମେ ହସୁଛୁ କାରଣ ଆମେ ଭାବୁ‌ଛୁ, ଆମେ ବ୍ୟଙ୍ଗ କରୁଛୁ କାରଣ ଆମେ ପରିବର୍ତ୍ତନ ଚାହୁଁଛୁ । ତେବେ ନିଜ ପ୍ରତି ବ୍ୟଙ୍ଗ କରିପାରିଲେ ଜଣେ ସଫଳ ବ୍ୟଙ୍ଗକାର ହୋଇପାରିବୁ । ରଚନା ଶୈଳୀ, ଶବ୍ଦ ସଂଯୋଜନା ପାଇଁ ବ୍ୟଙ୍ଗ ସାହିତ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ହାସ୍ୟ ବ୍ୟଙ୍ଗ ପତ୍ରିକା ‘ଝାଏଁରେ’ ପକ୍ଷରୁ ରବିବାର ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ଏକାଦଶ ସାହିତ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଗ୍ମୀ ପ୍ରଫେସର ଡ. କାଳିଦାସ ମିଶ୍ର ଓ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡ. ମୃଣାଳ ଚାଟାର୍ଜି ଅତିଥି ଭାବେ ଯୋଗ ଦେଇଥିଲେ । ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରଶାନ୍ତ ମାଝୀ ଓ ସମ୍ପାଦକ ପ୍ରଶାନ୍ତ ମହାକୁର ମଞ୍ଚାସୀନ ଥିଲେ । ଏ ଅବସରେ ‘ଝାଏଁରେ’ ର ନୂତନ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏ ଅବସରରେ ରସରାଜ ଅଚ୍ୟୁତ ପୁରୋହିତ ଓ ପଶୁକବି ସୁଶୀଲ ମିଶ୍ରଙ୍କୁ ଝାଏଁରେ ସମ୍ମାନ- ୨୦୨୬ ପ୍ରଦାନ କରାଯାଇଥିଲା । ଝାଏଁରେର ନିୟମିତ ଲେଖକ ଲକ୍ଷ୍ମୀନାରାୟଣ ପଣ୍ଡା ଓ ସୁଧାଂଶୁ ଶେଖର ମହାପାତ୍ର ଏବଂ ହାସ୍ୟ ଅଭିନେତା ସନ୍ତୋଷ ରାୟଗୁରୁ ଓ ସଂଜୀବ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀୟା ନାୟକ ଓ ଅଭିଷେକ ମିଶ୍ର ମାନପତ୍ର ପାଠ କରିଥିଲେ । ନାଟ୍ୟକାର ବ୍ରଜେନ୍ଦ୍ର ନାୟକ, ପ୍ରଧ୍ୟାପକ ଅଖିଳ ବିବାଳ ଓ ପ୍ରଶାସନିକ ଅଧିକାରୀ ଶମ୍ଭୁ ଭୂଷଣ ମିଶ୍ର ବ୍ୟଙ୍ଗର ପରିଭାଷା ଉପରେ ବକ୍ତବ୍ୟ ରଖିଥିଲେ । ମୂରଲୀଧର ସେଠୀ ସ୍ୱାଗତ ଭାଷଣ ପ୍ରଦାନ ସହ ସଭାକୁ ପରିଚାଳନା କରିଥିଲେ । ଇଂ ସନାତନ କଟା ଅତିଥି ପରିଚୟ ପ୍ରଦାନ, ସମ୍ବର୍ଦ୍ଧନା ପର୍ବକୁ ପରିଚାଳନା କରିଥିବା ବେଳେ ହେମକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ବଳରାମ ହୋତା ସହଯୋଗ କରିଥିଲେ ।

Leave A Reply

Your email address will not be published.