
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଖଣ୍ଡ ହଳଦୀ ମଣ୍ଡଳଠାରେ ସଂଘର ସମସ୍ତ ସ୍ୱୟଂସେବକମାନଙ୍କ ଦ୍ୱାରା ଏକ ଭବ୍ୟ ପଥ ସଞ୍ଚାଳନ ଓ ପରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହଳଦୀ ମଣ୍ଡଳ ତଥା ମୁରିବାହାଲ ଖଣ୍ଡର ଶତାଧିକ ସ୍ୱୟଂସେବକ ଭାଗ ନେଇଥିଲେ । ହଳଦୀ ହାଇସ୍କୁଲ ଖେଳ ପଡିଆରୁ ପଥ ସଞ୍ଚାଳନ ଆରମ୍ଭ ହୋଇ ସମଗ୍ର ହଳଦୀ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମର ଶତାଧିକ ମା’ ଭଉଣୀ ତଥା ସଂଘପ୍ରେମୀ ରାସ୍ତାର ଦୁଇ ପାର୍ଶ୍ଵରେ କଳସ ସ୍ଥାପନ କରି ପୁଷ୍ପ ସିଞ୍ଚନ କରି ଏହାକୁ ସ୍ୱାଗତ କରିଥିଲେ । ସଞ୍ଚାଳନ ଶେଷ ହେବା ପରେ ହଳଦୀ କଲ୍ୟାଣ ମଣ୍ଡପଠାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହଜିଲ୍ଲା ସଂଘଚାଳକ ପ୍ରସାଦି କମ୍ପ, ମୁଖ୍ୟବକ୍ତା ରୂପେ ଓଡିଶା ପଶ୍ଚିମ ପ୍ରାନ୍ତ ଅଧ୍ୟୟନ ପ୍ରମୁଖ ସାମାଜିକ ସମରସତା ଗତିବିଧି ଡମ୍ବରୁଧର କର୍ମୀ ଓ ମୁରିବାହାଲ ଖଣ୍ଡ କାର୍ଯ୍ୟବାହ ପ୍ରଭାକର ମାହାକୁର ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମର ବୌଦ୍ଧିକରେ ସଂଘ ଶତାବ୍ଦୀ ବର୍ଷରେ ଯେଉଁ ପଞ୍ଚ ପରିବତ୍ର୍ତ୍ତନର କାର୍ଯ୍ୟ କରୁଛି ଯଥା ସାମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ଵର ଜାଗରଣ, ନାଗରିକ କର୍ତ୍ତବ୍ୟ ଏହି ପଞ୍ଚ ପରିବତ୍ର୍ତ୍ତନକୁ କେମିତି ପ୍ରତ୍ୟେକ ନାଗରିକଙ୍କ ପାଖକୁ ପହଂଚିବ ଏବଂ ଶହେ ବର୍ଷରେ ଏ ଦେଶ ତଥା ହିନ୍ଦୁ ସମାଜ ପାଇଁ ସଂଘର ଅବଦାନ ଓ ଭୂମିକା କଣ ତାହା ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ମଣ୍ଡଳ ପ୍ରମୁଖ ରଞ୍ଜୁ କୁମାର ହାତୀ, ଖଣ୍ଡ ବ୍ୟବସ୍ଥା ପ୍ରମୁଖ ସତ୍ୟାନନ୍ଦ ମାହାକୁର, ଖଣ୍ଡ ପ୍ରଚାର ପ୍ରମୁଖ ଦନାର ପୁଟେଲ, ନିରଞ୍ଜନ ସାହୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵଂୟସେବକ ସୁଧୀର ସେଲମା, ଦେବଦତ୍ତ ବାଗ, ରାଜୀବ ଲୋଚନ ପାଣିଗ୍ରାହୀ, କୁଶ ଟାହାଣି, ପ୍ରସାଦୁ କୁମ୍ଭାର, ପରମାନନ୍ଦ ମାହାକୁର, ବିରାଜ ମହାନ୍ତି, ସ୍ଵପ୍ନେଶ୍ଵର ମାହାକୁର, ତରୁଣ ପୋଡ଼, ଗିରିଧାରୀ ବାଗ ତଥା ସମସ୍ତ ସ୍ୱୟଂସେବକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମଧ୍ୟ ଜଣେ ସ୍ଵଂୟ ସେବକ ରୂପେ ଉପସ୍ଥିତ ଥିଲେ ।