pakka

ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମହା ବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗରେ ସ୍ୱାଗତ ସମାରୋହ, ବିଦାୟ ସମ୍ୱର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବିହାରୀ ବାଗ ସଭାପତିତ୍ୱ କରିଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ମୁଖ୍ୟ ଅତିଥି, ଭୂତପୂର୍ବ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ.ସଂଜୟ କୁମାର ଦାସ, ପୂର୍ବତନ ବଡ଼ବାବୁ ରାମେଶ୍ଵର ବିଭାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ବିଭାଗୀୟ ଛାତ୍ରଛାତ୍ରୀ ମାନେ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହ ନୂତନ ଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରିଥିଲେ । ଏହି ସଭାରେ ଅଧ୍ୟାପକ ଡ.ଉମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ସଂକଳନ ରଟ୍ରୋ ରାଇମସ ଏବଂ ସମ୍ବଲପୁରୀ କବିତା ସଂକଳନ ଉଁଡାର କନ୍ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ଡ.ଚିତ୍ତରଞ୍ଜନ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ପୁସ୍ତକ ଦ୍ୱୟ ଉପରେ ଏକ ସାରଗର୍ଭକ ସମୀକ୍ଷା ଉପସ୍ଥାପନ କରିଥିଲେ । କବି ଡ.ରମେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଉଭୟ ପୁସ୍ତକ ଉପରେ ନିଜର ଲେଖନୀୟ ଅନୁଭୂତି ବ୍ୟକ୍ତ କରିବା ସହିତ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଅତିଥି ଓ ଅଧ୍ୟାପକ ମାନଙ୍କର ଉଦବୋଧନ ପରେ ଛାତ୍ରଛାତ୍ରୀ ମାନଙ୍କର ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ଆନୁଷ୍ଠାନିକ ଧନ୍ୟବାଦ କରିଥିଲେ ଅଧ୍ୟାପିକା ଶ୍ରୀମତୀ ରାଜଶ୍ରୀ ଭଞ୍ଜ ।

Leave A Reply

Your email address will not be published.

14 − 8 =