jayashree

ବୃଦ୍ଧି ପାଇଛି ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା, ବଡ଼ନଦୀ, ବାହୁଦା, ବଂଶଧାରା ନଦୀର ଜଳସ୍ତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ପୂର୍ବରୁ ବ୍ୟାପକ ପ୍ରସ୍ତୁତି, ନିରନ୍ତର ତଦାରଖ ଏବଂ ପ୍ରତିଟି ସମସ୍ୟାର ତ୍ୱରିତ ସମାଧାନ ମାଧ୍ୟମରେ ବାତ୍ୟା ‘ଅକୱାନ’ର ସଫଳ ମୁକାବିଲା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପ୍ରାୟ ୧ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରାତିସାରା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ସ୍ଥିତି ଉପରେ ନଜର, ସମ୍ବେଦନଶୀଳ ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଏବଂ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଜିଲ୍ଲାରେ ଏଯାବତ୍ ଶୂନ୍ୟ ମୃତ୍ୟୁ ସମ୍ଭବ ହୋଇଛି ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗୋପାଳପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗୋପାଳପୁର ନିକଟରେ ଆଜି ପ୍ରାୟ ସାଢ଼େ ୧୧ଟାରେ ବାତ୍ୟା ‘ଅକୱାନ’ ସ୍ଥଳଭାଗ ଛୁଇଁଥିଲା । ଏହାପରେ ବାତ୍ୟା ଉତ୍ତର-ପୂର୍ବ ଦିଗକୁ ଗତି କରିଥିଲା । ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଥିଲା । ଶୁକ୍ରବାର ମଧ୍ୟାହ୍ନରୁ ବର୍ଷା କମିଛି । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଶାସନର ସତର୍କତା ଓ ତଦାରଖ ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ବାତ୍ୟାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବକୁ ଆକଳନ କରି ୪ରୁ ୫ ଦିନ ପୂର୍ବରୁ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଥିଲା । ଦିନ ରାତି ଏକ କରି ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍‌, ଜଳସମ୍ପଦ, ବିଦ୍ୟୁତ୍‌, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ପୌର ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଆସିଛନ୍ତି । ପ୍ରତି ଏକରୁ ଦୁଇ ଘଣ୍ଟା ମଧ୍ୟରେ ଭର୍ଚୁଆଲ୍‌ ମାଧ୍ୟମରେ ସମୀକ୍ଷା, ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗର ତ୍ୱରିତ ସମାଧାନ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ ରାତିସାରା ଜାରି ରହିଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଫୋନ୍‌ ମାଧ୍ୟମରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ନିୟମିତ ଖବର ନେଉଥିଲେ । ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମ, କଚ୍ଚା ଘରେ ରହୁଥିବା ପରିବାର, ବନ୍ୟାପ୍ରବଣ ଅଞ୍ଚଳ ଓ ୫୯ଟି ଭୂସ୍ଖଳନପ୍ରବଣ ସ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ରହି ସ୍ଥିତି ତଦାରଖ କରିବା ସହ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଉଥିଲେ । ପ୍ରାୟ ୧.୫୪ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳୀ ଓ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇବା ସହ ଆଶ୍ରିତ ଲୋକଙ୍କୁ ଏକ ସୁସ୍ଥ ଓ ଆତ୍ମୀୟ ପରିବେଶ ଯୋଗାଇଦେବା ପାଇଁ ପୂର୍ବରୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତକାଲି ବାତ୍ୟା ପ୍ରଭାବରେ ପାତ୍ରପୁରର ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସମସ୍ୟା ଦେଖାଦେଇଥିଲା । ତେବେ ତୁରନ୍ତ ପଦକ୍ଷେପ ନେଇ ଏହାର ସମାଧାନ କରାଯାଇଥିଲା । ତାରାତାରିଣୀ ପୀଠର ପାହାଡ଼ିଆ ରାସ୍ତାରେ ଗଛର ଡାଳ ପଡ଼ି ଯାତାୟାତ ବାଧାପ୍ରାପ୍ତ ହେବା ପରେ ବିଭିନ୍ନ ଉଦ୍ଧାରକାରୀ ଦଳର ମିଳିତ ପ୍ରୟାସରେ ତାହାକୁ ତୁରନ୍ତ ହଟାଇ ରାସ୍ତା ସଫା କରାଯାଇଥିଲା । ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ପୂର୍ବରୁ ତାରାତାରିଣୀ ପୀଠ ନିକଟସ୍ଥ ରାସ୍ତାରେ ଯାତାୟାତ ବନ୍ଦ କରାଯାଇଥିଲା । ତପ୍ତପାଣି ଓ କଳିଙ୍ଗ ଘାଟି ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ଘାଟି ଅଞ୍ଚଳରେ ମଧ୍ୟ ଯାତାୟାତ ଉପରେ ନିୟନ୍ତ୍ରଣ ରଖାଯାଇ ସତର୍କତା ଅବଲମ୍ବନ କରାଯାଇଥିଲା । ପାତ୍ରପୁର, ହିଞ୍ଜିଳି ଓ ଗୋପାଳପୁର ଅଞ୍ଚଳରେ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଜିଲ୍ଲାର ସମସ୍ତ ଜଳଭଣ୍ଡାର ବିପଦସଙ୍କେତ ତଳେ ରହିଥିବା ସୂଚନା ମିଳିଛି । ବ୍ରହ୍ମପୁର ସହରର କେତେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା । ତେବେ ବ୍ରହ୍ମପୁର ମହାନଗର ନିଗମ, ଅଗ୍ନିଶମ ବିଭାଗ, ଡ୍ରେନେଜ୍‌ ଟିମ୍‌ ଓ ଅନ୍ୟ ସମ୍ପୃକ୍ତ ଦଳର ମିଳିତ ପ୍ରୟାସରେ ଅଧିକାଂଶ ସ୍ଥାନରୁ ଜଳ ନିଷ୍କାସନ କରାଯାଇଥିଲା । ଏଠାରେ ପ୍ରାକ୍ ପ୍ରସ୍ତୁତି କାମ ଦେଇଛି । ୧୦ଟି ସ୍ଥାନରେ ନିୟୋଜିତ ଟିମ୍ ପମ୍ପ ମେସିନ୍ ସାହାଯ୍ୟରେ ଜଳ ନିଷ୍କାସନ ତ୍ୱରାନ୍ୱିତ କରିଥିଲେ । ସହରର ସ୍ଥିତି ସ୍ୱାଭାବିକ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ନିୟନ୍ତ୍ରଣ କକ୍ଷରୁ ନିରୀକ୍ଷଣ ସହ କ୍ଷେତ୍ରସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ସୁରକ୍ଷିତ କରିବା, ଉଦ୍ଧାର ଓ ସ୍ଥାନାନ୍ତର, ରାସ୍ତା ସଫା, ବିଦ୍ୟୁତ୍‌ ପୁନଃସଂଯୋଗ ଏବଂ ଜରୁରୀ ସେବାକୁ ସଚଳ ରଖିବାରେ ନିରନ୍ତର କାର୍ଯ୍ୟ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଗଣମାଧ୍ୟମର ଭୂମିକାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ବାତ୍ୟା ସମୟରେ ସାମ୍ବାଦିକମାନେ ରାତିଦିନ ଏକ କରି ସତର୍କ ସୂଚନା, ପ୍ରଶାସନର ପରାମର୍ଶ ଓ ଆବଶ୍ୟକ ଖବର ଜନସାଧାରଣଙ୍କ ପାଖରେ ପହଞ୍ଚାଇଥିଲେ । ଏଥିସହ ଗଞ୍ଜାମବାସୀଙ୍କ ସହଯୋଗ, ଧୈର୍ଯ୍ୟ ଓ ସଚେତନତା ପାଇଁ ସେ କୃତଜ୍ଞତା ଜଣାଇଥିଲେ । ଜନପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ନିରନ୍ତର ପରିଶ୍ରମକୁ ମଧ୍ୟ ସେ ଏହି ସଫଳ ମୁକାବିଲାର ମୁଖ୍ୟ ଆଧାର ବୋଲି ଅଭିହିତ କରିଥିଲେ । ଉଭୟ ଜିଲ୍ଲାର ପୁଲିସ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ବିପଦ ସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ଓ ସଚେତନତା କରିବାରେ ଉଭୟ ଏସ୍‌ପିଙ୍କ ସମେତ ପୁରା ଟିମ୍ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେହିପରି ଗଭୀର ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଆଣିବାରେ ମତ୍ସ୍ୟ ବିଭାଗ, ତଟରକ୍ଷୀ ବାହିନୀର ଉଦ୍ୟମ ପ୍ରଶଂସନୀୟ । ତେବେ ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଟଳିନଥିବାରୁ ଆଗାମୀ କିଛି ଘଣ୍ଟା ଓ ଦିନ ପର୍ଯ୍ୟନ୍ତ ସତର୍କତା ଜାରି ରହିବ । ଆଶ୍ରୟସ୍ଥଳୀଗୁଡ଼ିକ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପରେ ଲୋକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ନେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଆଇଏଏସ୍‌ ପ୍ରଶିକ୍ଷଣାର୍ଥୀ ଏସ୍‌. ସାରାଣ୍ୟା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.