jayashree

ରାଉରକେଲାରେ ୯୮ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ : ଯୋଗଦେବେ ୨୦୦ରୁ ଅଧିକ ଅଭିଭାବକ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିକାଶ ନିମନ୍ତେ ଗଠିତ ଜାତୀୟ ଅଭିଭାବକ ସଂଘ ତରଫରୁ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ, ଶ୍ରଦ୍ଧା ରାଉରକେଲା ଏବଂ ଓଡ଼ିଶା ପରିବାରର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ ୯୮ତମ ଆଞ୍ଚଳିକ ଅଭିଭାବକ ସମ୍ମିଳନୀ ଓଡ଼ିଶା-୨୦୨୬ ଆସନ୍ତା ଅଗଷ୍ଟ ୨୨ ଓ ୨୩ ତାରିଖରେ ରାଉରକେଲା ବରଟୋଲିସ୍ଥିତ ପଦ୍ମିନୀ ପ୍ୟାଲେସରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଶୈଶବରୁ ଯୁବାବସ୍ଥା ପର୍ଯ୍ୟନ୍ତ ଯତ୍ନ ନେଉଥିବା ଅଭିଭାବକ, ସେବାକର୍ମୀ ଏବଂ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଲୋଚନା ହେବ । ସାମ୍ବିଧାନିକ ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ଅଧିକାର ଓ ଆଇନ-୨୦୧୬, ନ୍ୟାସନାଲ ଟ୍ରଷ୍ଟ ଆଇନ-୧୯୯୯ ଏବଂ ଦିବ୍ୟାଙ୍କଙ୍କ ମୌଳିକ ଅଧିକାର ସମ୍ପର୍କରେ ବିଶେଷଜ୍ଞମାନେ ବିସ୍ତୃତ ଭାବେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଏବଂ ଓଡ଼ିଶାରୁ ପ୍ରାୟ ୨୦୦ରୁ ଅଧିକ ଅଭିଭାବକ ଓ ଅଭିଭାବିକା ଯୋଗଦେବେ । ପ୍ରଥମ ଦିନ ଉଦ୍‌ଘାଟନୀ ଅଧିବେଶନରେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦ୍‌ଘାଟକ ଭାବେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତୀ ହରିଚନ୍ଦନ ଓ ରାଜ୍ୟ ଭିନ୍ନକ୍ଷମ ବିଭାଗର ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ । ଦ୍ୱିତୀୟ ଦିନ ଉଦ୍‌ଯାପନୀ ଅଧିବେଶନରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲୀ ରାଣା, ପାନପୋଷ ଉପଖଣ୍ଡ ବରିଷ୍ଠ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ଆର୍‌ଜିଏଚ୍ ସୁପରିଟେଣ୍ଡେଣ୍ଟ ଡା. ସୁଧାରାଣୀ ପ୍ରଧାନ ପ୍ରମୁଖ ଯୋଗଦେବେ । ଡ. ସୁଦୀପ ଗୋୟେଲ, ଡ. ରାମକୃଷ୍ଣ ବିଶ୍ୱାଳ, ଡ. ଶିବାଜୀ କୁମାର ପ୍ରମୁଖ ବିଶେଷଜ୍ଞ ଅଭିଭାବକମାନଙ୍କୁ ମାର୍ଗଦର୍ଶନ ଦେବେ । ଓଡ଼ିଶା ପରିବାର ତରଫରୁ ସଭାପତି ପ୍ରଭାକର ସାହୁ, ସମ୍ପାଦକ କାର୍ତ୍ତିକ ପାଣ୍ଡବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବେ । ଉଦ୍‌ଘାଟନ ପରେ ଦୁଇଦିନ ଧରି ବୈଷୟିକ ଅଧିବେଶନ ହେବ ଏବଂ ୨ ତାରିଖ ସନ୍ଧ୍ୟାରେ ଭିନ୍ନକ୍ଷମ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

Leave A Reply

Your email address will not be published.