
ତୁଷୁରା, (ଖୁସିରାଣୀ ସାହୁ) : ଆଉ କିଛିଦିନ ପରେ ଦେଶ ପାଳନ କରିବ ୮୦ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍ଏସି ପକ୍ଷରୁ ଆୟୋଜିତ ହୋଇଥିଲା ୩୦୦ ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା । ଜାତୀୟ ପତାକାକୁ ନେଇ ସହରରେ ପରିକ୍ରମା କରିଥିଲେ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର ସଦସ୍ୟ ଓ ସହରବାସୀ । ଦେଶଭକ୍ତିର ଭାବନାରେ ମୁଖରିତ ହୋଇଥିଲା ସମଗ୍ର ତୁଷୁରା ସହର । ତୁଷୁରା ଶିବ ମନ୍ଦିରରୁ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସହରର ବିଭିନ୍ନ ସାହି ଓ ପ୍ରମୁଖ ରାସ୍ତା ପରିକ୍ରମା କରି ଶୋଭାଯାତ୍ରା କଲ୍ୟାଣମଣ୍ଡପରେ ପହଞ୍ଚିଥିଲା । ଏଥିରେ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ଓ ସହରବାସୀ ସାମିଲ ହୋଇଥିଲେ । ହାତରେ ତ୍ରିରଙ୍ଗା ଧରି ଦେଶଭକ୍ତି ସ୍ଲୋଗାନ ଦେଇ ଆଗେଇ ଚାଲିଥିଲେ ସମସ୍ତେ । ଏହି ଶୋଭାଯାତ୍ରା ମାଧ୍ୟମରେ ଜାତୀୟ ଏକତା, ଦେଶପ୍ରେମ ଓ ସ୍ୱାଧୀନତା ଦିବସର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରାଯାଇଥିଲା ।