jayashree

ଚୋରି ମୋବାଇଲ ଜବତ : ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚୋରି ମାମଲାର ତଦନ୍ତ ସମୟରେ ପଦ୍ମପୁର ଉପଖଣ୍ଡ ପାଇକମାଲ ପୁଲିସ ଜଣେ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ମୋବାଇଲ ଫୋନ ଓ ଟ୍ୟାବ୍‌ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ପ୍ରାପ୍ତ ସୂଚନାନୁଯାୟୀ, ପାଇକମାଲ ସଡ଼କପଡ଼ା ସ୍ଥିତ ସତ୍ୟ ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟ ବୁଧବାର ସକାଳେ ଖୋଲିବା ସମୟରେ ଜଣେ ବ୍ୟକ୍ତି କୌଶଳକ୍ରମେ ଅଫିସରେ ପ୍ରବେଶ କରି ଏକ ରିଅଲମି ମୋବାଇଲ ଫୋନ ଓ ସାମସଙ୍ଗ ଟ୍ୟାବ୍‌ ଚୋରି କରି ନେଇଥିବା ଜଣାପଡ଼ିଥିଲା । ଏନେଇ ଅଫିସ ପକ୍ଷରୁ ପାଇକମାଲ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ଚୋରି ସାମଗ୍ରୀ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ଖୋଜଖବର ନେଇଥିଲା । ତଦନ୍ତ ବେଳେ ଅଭିଯୁକ୍ତ ବିକ୍ରମନଗର ଛକ ନିକଟରେ ଚୋରି ସାମଗ୍ରୀ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ଚୋରି ହୋଇଥିବା ମୋବାଇଲ ଫୋନ ଓ ଟ୍ୟାବ୍‌ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ଜଣକ ପଦ୍ମପୁର ରଜାପଡ଼ାର ଡାକ୍ତର ବାଗ (୨୩) ବୋଲି ପୁଲିସ କହିଛି । ଏନେଇ ପାଇକମାଲ ଥାନାରେ କେସ୍‌ ନଂ ୧୯୫/୨୬ ରୁଜୁ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି । ପରେ ତାଙ୍କୁ ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଥିବା ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.