jayashree

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସାଇବର ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଇକମାଲ ପୁଲିସ ପକ୍ଷରୁ ଓଆଇସି କୈଳାସ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପାଇକମାଲ ଥାନା ସବ୍‌ଇନ୍ସପେକ୍ଟର ବୀଣା ତିର୍କୀ, ଶିକ୍ଷାକେନ୍ଦ୍ର ସମ୍ପାଦକ ମହେନ୍ଦ୍ର ଖୁଣ୍ଟିଆ ଓ ଅଧ୍ୟକ୍ଷ ଗଙ୍ଗାଧର ରଣା ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଗିରୀଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏସ୍‌ଆଇ ବୀଣା ତିର୍କୀ ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇର ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରିବା ସହ ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନକରିବା, ଅପରିଚିତ ବ୍ୟକ୍ତିଙ୍କ ସହ ଓଟିପି, ପାସୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆଦାନପ୍ରଦାନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସୋସିଆଲ ମିଡିଆ ତଥା ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ରହିବା ସହ କୌଣସି ସାଇବର ଠକେଇର ଶିକାର ହେଲେ ତୁରନ୍ତ ଅଭିଭାବକ ଓ ପୁଲିସକୁ ଜଣାଇବାକୁ ସେ କହିଥିଲେ । ଶିକ୍ଷାକେନ୍ଦ୍ର ସମ୍ପାଦକ ମହେନ୍ଦ୍ର ଖୁଣ୍ଟିଆ କହିଥିଲେ ଯେ, ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ପ୍ରଯୁକ୍ତିର ସଦୁପଯୋଗ କରିବା ସହ ଏହାର ବିପଦ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ । ସାଇବର ସୁରକ୍ଷା ସମ୍ପର୍କରେ ଜ୍ଞାନ ହାସଲ କରି ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ଗଙ୍ଗାଧର ରଣା ନିଜ ବକ୍ତବ୍ୟରେ କହିଥିଲେ ଯେ,ଶିକ୍ଷା ସହିତ ସାଇବର ସଚେତନତା ମଧ୍ୟ ଆଜିର ଛାତ୍ରଜୀବନର ଏକ ଅବିଚ୍ଛେଦ୍ୟ ଅଂଶ । ସଚେତନତା ଓ ସତର୍କତା ଦ୍ୱାରା ସାଇବର ଅପରାଧକୁ ଅନେକାଂଶରେ ରୋକାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏଥିରେ ହରିପ୍ରିୟା ସାହୁ, ଭିଏସନନ୍ଦ ବରିହା, ଉତ୍ତମ ରଣା ଓ ଦେବାସନ ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.