ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏଙ୍କ ଦ୍ୱାରା ବିନିକା ବ୍ଲକ କାର୍ଯ୍ୟର ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ନିହାର ରଞ୍ଜନ କଁହର ବିନିକା ବ୍ଲକ ଗସ୍ତରେ ଆସି ବ୍ଲକ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ସ୍ୱଚ୍ଛ ଭାରତ ମିଶନ, ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଦ୍ୱାରା ଆବଣ୍ଟିତ ଅର୍ଥର ସୁବିନିଯୋଗ ତଥା କାର୍ଯ୍ୟ ପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି । କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥି ପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶା ଜୀବିକା ମିଶନ ଜରିଆରେ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କଁହର । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦେବା ସହ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସରକାରଙ୍କ ଗ୍ରାମୀଣ ଆବାସ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟକୁ ସ୍ଵଚ୍ଛତାର ସହିତ ଶତ ପ୍ରତିଶତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଦ୍ୱାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ରକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ସୋନପୁର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ଓ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ଆବଶ୍ୟକ ଜମିଜମା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବୈଠକରେ ବିଡିଓ ବ୍ୟାସଦେବ ବେହେରା, ଜିପିଇଓ ତଥା ଡିଆରଡିଏ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ବରିଷ୍ଠ କର୍ମଚାରୀଙ୍କ ସହ ବ୍ଲକସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

five × four =