
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବ୍ୟାଙ୍କକଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ପାରା ସିରିଜ୍ -୨୦୨୬ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟିନୀ ସୁନା ଝିଅ ପାୟଲ ନାଗ ନିଜ ଜନ୍ମମାଟି ଯମୁନାବାହାଲକୁ ଫେରିଥିବାରୁ ବୁଧବାର ମୁରିବାହାଲ ବ୍ଲକ ଗୁଡିଘାଟ ଛକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ୟାଙ୍କକରେ ଅନୁଷ୍ଠିତ ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀ ପାରା ସିରିଜ୍ -୨୦୨୬ରେ ଭାରତୀୟ ଖେଳାଳୀ ଭାବେ ପାୟଲ ନାଗ ଚମତ୍କାର ପ୍ରଦର୍ଶନ କରିଥିଲେ । ଦୁଇମାସ ପରେ ଗାଁଁକୁ ଫେରିଲା ପରେ ବାଜା ବଜାଇ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଳା ପଞ୍ଚାୟତ ଯମୁନାବାହାଲ ଗାଁର ବିଜୟ ନାଗ ଓ ଜନତା ନାଗଙ୍କ ସୁନାଝିଅ ତଥା ପ୍ରତିଭାବାନ୍ ପାରା ଆଥଲେଟ୍ ପାୟଲ୍ ନାଗ ବିଶ୍ୱର ଏକ ନମ୍ବର ଖେଳାଳୀ ଶୀତଲ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତି ସମସ୍ତଙ୍କୁ ଚକିତ କରିବା ସହ ନିଜ ଦେଶ ଭାରତ ତଥା ନିଜ ଅଞ୍ଚଳ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି । ପାୟଲ ମାତ୍ର ୫ବର୍ଷ ବୟସରୁ ଦିବ୍ୟାଙ୍ଗ ହୋଇ ତାଙ୍କ ଉଭୟ ହାତ ଓ ଗୋଡ଼ ହରାଇଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଆଜି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ପାୟଲ ନାଗଙ୍କ ଭଳି ଖେଳାଳୀମାନେ ଆଜିର ଯୁବପିଢ଼ି ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଥିବା ବେଳେ ଆଜିର ଦିନରେ ସେ ପ୍ରମାଣ କରିସାରିଛନ୍ତି ଯେ, ଅକ୍ଷମତା ଶରୀରରେ ଥାଏ, ମନରେ ନୁହେଁ ବୋଲି ମତ ପ୍ରକାଶ ପାଇଛି । ବିଶ୍ୱ ବିଜୟିନୀ ପାୟଲ ବ୍ୟାଙ୍କକରୁ ସ୍ୱର୍ଣ୍ଣ ପଦକ ହାସଲ କରି ଫେରିବା ପରେ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣଦେବୀ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିଲେ । ସେଠାରୁ ଟ୍ରେନ ଯୋଗେ ରାୟପୁର ଆସି ଏଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁରିବାହାଲ ବ୍ଲକ ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ଏଇଇ ଅବିନାଶ ମୁଦି, ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗ, ବାନ୍ଦୁପଳା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗଙ୍କ ସହ ପାୟଲଙ୍କ ପରିବାର, ଗୁଡିଘାଟ ଓ ବାନ୍ଦୁପଳା ପଞ୍ଚାୟତ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପାୟଲଙ୍କ ଆଗାମୀ ଲକ୍ଷ୍ୟ ଆସନ୍ତା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ୍ ଗେମ୍ସରେ ତଥା ପରେ ଅଲିମ୍ପିକ୍ରେ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇ ନିଜ ଦେଶ ତଥା ମୁରିବାହାଲ ଅଞ୍ଚଳର ନାଁ ରଖିବା ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।