csstore

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୧୯୯୩ରୁ ୨୦୨୨ ଦୀର୍ଘ ୩୦ ବର୍ଷର ଶିକ୍ଷକତା କରି ସହସ୍ରାଧିକ ଛାତ୍ରଙ୍କ ଭବିଷ୍ୟତ ଗଢିଥିବା ଜଣେ ନୁହେଁ, ଏହି ବର୍ଗର ଶିକ୍ଷକମାନେ ବିନା ଭବିଷ୍ୟ ସୁରକ୍ଷାରେ ଅବସର ଗ୍ରହଣ କରିଛନ୍ତି । ଡେଲାଙ୍ଗ ପଂଚାୟତ ସମିତି ଅଧୀନସ୍ଥ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବୋଳକଣା ସରକାରଙ୍କ ମୋଟା ମୋଟି ସହାୟତା (ବ୍ଲକ୍‌ ଗ୍ରାଂଟ) ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ବିଦ୍ୟାଳୟର ସଫଳତା ହାର କୌଣସି ସରକାରୀ ବିଦ୍ୟାଳୟଠାରୁ କମ୍‌ ନଥିଲେ ମଧ୍ୟ ଏହାର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଅବସରକାଳୀନ ସହାୟତା ବ୍ୟବସ୍ଥା ନାହିଁ । ତଥାପି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକମାନେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି । ସମ୍ବର୍ଦ୍ଧନା ନକହି ଏହାକୁ ଛାତ୍ରଙ୍କ କୃତଜ୍ଞତା କହିଲେ ଭୁଲ ହେବ ନାହିଁ । ପଂଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ କର୍ମଚାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ମଙ୍ଗଳବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ଛାତ୍ର ତଥା ନିମାପଡା ମଣ୍ଡଳ ଶିକ୍ଷାଧିକାରୀ ଦ୍ୟୁତିକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଅନ୍ୟତମ ଉଦ୍ୟୋକ୍ତ ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନ ସନ୍ନିକଟ ବ୍ଲକ ଗ୍ରାଂଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ବିଭୂତି ଭୂଷଣ ହୋତା, ପୁରାତନ ଛାତ୍ର ସଂସଦ ସଭାପତି ଅକ୍ଷୟ କୁମାର ବରାଳ ଓ ଚିତରଞ୍ଜନ ପ୍ରଧାନ, ଶିକ୍ଷକ ନିରଞ୍ଜନ ମହାରଣା, ନିରଞ୍ଜନ ସାହୁ ପ୍ରମୁଖ ବିଦ୍ୟାଳୟ ପ୍ରତିଷ୍ଠା, ପରିଚାଳନା, ଉଚ୍ଚମାନର ଶିକ୍ଷାଦାନ କ୍ଷେତ୍ରରେ ବିଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ । ଶିକ୍ଷକ ଯାମିନୀକାନ୍ତ ନାୟକ ମଂଚ ପରିଚାଳନା କରିଥିଲେ । ସୁଧୀର ଜେନା ଅତିଥିଙ୍କୁ ସ୍ୱାଗତ କରିବା ସହ ପରିଚୟ କରାଇଥିଲେ । ବିଦାୟୀ ଶିକ୍ଷକଙ୍କୁ ମାନପତ୍ର , ଉପଢୌକନ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ ପ୍ରାର୍ଥନା କରାଯାଇଥିଲା । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ସ୍ମାରକୀ ବଉଳ ଚାରା ରୋପଣ କରାଯାଇଥିଲା ।

jayashree
Leave A Reply

Your email address will not be published.