
ବରଗଡ, (ମୁନ୍ନା ସାହୁ) : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି। ଧାନ କ୍ରୟରେ ବିଳମ୍ବ, ଟୋକନ ବଣ୍ଟନରେ ଅନିୟମିତତା ଏବଂ ମଣ୍ଡିରେ ଧାନ ପଡ଼ିରହିବାକୁ ନେଇ ଚାଷୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଶନିବାର ଦିନ ପ୍ରାୟ ୧୧ଟା ସମୟରେ ବରଗଡ଼ ଡିଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଚାଷୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ଚଳିତ ରବି ଋତୁରେ ଜିଲ୍ଲାର ପ୍ରାୟ ୧ ଲକ୍ଷ ୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଥିଲେ । କିନ୍ତୁ ଅଭିଯୋଗ ଅନୁସାରେ ପ୍ରାୟ ୫ ହଜାର ଚାଷୀ ଏପର୍ଯ୍ୟନ୍ତ ଟୋକନ ପାଇନାହାନ୍ତି । ଅନ୍ୟପଟେ, ଅନେକ ଚାଷୀଙ୍କୁ ଜମି ପରିମାଣ ଅନୁଯାୟୀ ଟୋକନ ମିଳିନଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି। ଏହା ସହ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୫ ଲକ୍ଷରୁ ଅଧିକ ଧାନ ବସ୍ତା ପଡ଼ିରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଆଉ ମାତ୍ର କିଛି ଦିନ ପରେ ମଣ୍ଡି ବନ୍ଦ ହେବାକୁ ଥିବାବେଳେ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଛନ୍ତି ଚାଷୀ । ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
