ଦ୍ୱିତୀୟ ଦିନରେ ନଟରାଜ କଳାପରିଷଦର ରଜତ ଜୟନ୍ତୀ ସମାରୋହ

  • ନାଟକ ସାମାଜିକ ସଚେତନତାର ଶ୍ରେଷ୍ଠ ବାର୍ତ୍ତାବହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାଟକ ଅଂଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଉଭୟ ଜନସାଧାରଣ ସରକାରଙ୍କୁ ବିଭିନ୍ନ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ଦିଏ । ପରିବାର ନିୟନ୍ତ୍ରଣ, ପୋଲିଓ ଭଳି କେତେ ଯୋଜନାରେ ସରକାର ପଥ ପ୍ରାନ୍ତ ନାଟକର ସହାୟତା ନେଇ ବିଶ୍ୱ ସ୍ତରରେ ସଫଳତା ହାସଲ କରିଛନ୍ତି । ସେହିପରି ଗଣମାଧ୍ୟମର ଜନ୍ମ ପୁର୍ବରୁ କଳା ନାଟକ ହିଁ ସମାଜର ବିଭିନ୍ନ ସମସ୍ୟା ଉତ୍ଥାପନ କରି ଆସୁଥିଲା । ଏପରିକି ପ୍ରାରମ୍ଭିକ ସମୟରେ ସ୍ୱାଧିନତା ସଂଗ୍ରାମକୁ ଜନମାନସକୁ ପହଞ୍ଚାଇବାରେ ନାଟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେଣୁ ନାଟକ ସାମାଜିକ ସଚେତନତାର ଶ୍ରେଷ୍ଠ ବାର୍ତ୍ତାବହ ବୋଲି ଆଜି ନଟରାଜ କଳାପରିଷଦ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିନ ସାନ୍ଧ୍ୟ ସଭାରେ ମତ ପ୍ରକାଶ ପାଇଛି । ପରିଷଦର ସଭାପତି ହରି ନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନିଜସ୍ୱ ମତ ରଖିଥିଲେ । ସଭାରେ ଲେଖକ ଦେବରାଜ ସାହୁ ଓ ଅଶୋକ ବହିଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ଅଧ୍ୟକ୍ଷ ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିବା ବେଳେ ସଂପାଦକ ପ୍ରହଲ୍ଲାଦ ଦର୍ଜୀ ସହେଯାଗ କରିଥିଲେ । ପରେ ପରେ ମନୁଷ୍ୟଧର୍ମୀ ନାଟକ ଘା ମଞ୍ଚସ୍ତ ହୋଇଥିଲା । ଜଣେ ଅନ୍ଧ, ଜଣେ ଛୋଟା ଓ ଜଣେ ମୁକ ଏଭଳି ତିନି ପାତ୍ରର ପ୍ରେମ, ପ୍ରତିଶୋଧ ଓ ଇର୍ଷାର କାହାଣୀ ଘା । ମୁକ ମହିଳା ଜଣକ ଛୋଟା ଦ୍ୱାରା ଧର୍ଷୀତା । ଛୋଟାର ଏହି କାର୍ଯ୍ୟକଳାପ ମୁକ ମହିଳାର ଦେହ ମାନସରେ କିପରି ଗଭୀର କ୍ଷତ କରିଛି । ଆଉ ଛୋଟାର ଏପରି ପାଶବିକ କର୍ମକୁ ଜଣେ ମୁକ ମହିଳା କିପରି ଅନ୍ଧକୁ କହିଛି ସେ ପର୍ଯ୍ୟବେଷିତ ଚମତ୍କାର ନାଟକ ଘା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଅଶୋକ ବହିଦାରଙ୍କ ଲେଖନୀରୁ ଜାତ ଏହି ନାଟକକୁ ପ୍ରଶାନ୍ତ ଖମାରୀ ନିର୍ଦ୍ଦେଶନା ଦେଇଥିବା ବେଳେ ରବି, ବଳରାମ, ଉତ୍ତମ ଓ କିଶୋର ମଞ୍ଚସଜ୍ଜା କରିଥିଲେ । ରାମ ପ୍ରସାଦ ଦାଶ, ଲଳିତ ପୁଜାରୀ, ମିଲି ବାରିକ ଓ ସଂଗ୍ରାମ ନାଏକ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ପ୍ରଥମ ନାଟକ ପରେ ଦର୍ଶକଙ୍କ ସାମନାରେ ପୌରାଣିକ ନାଟକ ଯଯାତି ପ୍ରସ୍ତୁତ କରାଯାଇଥିଲା । ଏହି ନାଟକଟି ମହାଭାରତର ବନ ପର୍ବ ଯଯାତି ଉପଖ୍ୟାତ ଉପରେ ଆଧାରିତ । କାମ, କ୍ରୋଧ, ମୋହ ବାସ୍ନାର ଅନ୍ତ ନାହିଁ । ଏହା ମଣିଷକୁ ତୃପ୍ତି ଦେବା ଅପେକ୍ଷା ଆହୁରି ଅଶାନ୍ତିକୁ ଠେଲି ଦିଏ । ସେହିପରି ଅତ୍ୟଧିକ ଲୋଭ ପାଇଁ ସଂସାରର ସମସ୍ତ ଧନ ସମ୍ପତ୍ତି ସୁନ୍ଦରୀ ମଧ୍ୟ ଯଥେଷ୍ଟ ହୋଇପାରେ ନାହିଁ । ଏହି ସବୁ ମାୟା ମଣିଷକୁ ଭୋଗ ଦେବା ଅପେକ୍ଷା ମଣିଷକୁ ହିଁ ଭକ୍ଷଣ କରେ । ଏହା ହିଁ ଯଯାତି ନାଟକର ବିଷୟବସ୍ତୁ । ଦେବରାଜ ସାହୁ ଏହି ନାଟକକୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ଖମାରୀ । ଧିରାଜ ବେଜ୍‌, ମଧୁସୁଦନ ନାୟକ, ଅର୍ଜନ ମୁଗୁରୀ, ସଂଜୀବ ନାଏକ, ଶ୍ରୀରାଧା, ରାସେଶ୍ୱରୀ ଅଭିନୟ କରିଥିଲେ । ରବି, ଉତ୍ତମ, ବଳରାମ, କିଶୋର ମଂଚସଜ୍ଜା କରିଥିବା ବେଳେ ସୃଜନଶିଳ ନିର୍ଦ୍ଦେଶନା ଦେଇଥିଲେ ସଂଗ୍ରାମ ନାୟକ ।

ନଟରାଜ କଳା ପରିଷଦ ରଜତ ଜୟନ୍ତୀ ଆଜି ଦ୍ୱିତୀୟ ଦିନ ସକାଳୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦୀପ ଡି. ମାଝି କଳାହାଣ୍ଡି ଏବଂ ଅଶୋକ କୁମାର ବହିଦାର ପଦ୍ମପୁର ଆଧାର ଫର୍ଦ୍ଦ (ବେସ ପେପର) ପଠନ କରିଥିବା ବେଳେ ସମୀକ୍ଷା କରିଥିଲେ ଚିତ୍ତ ରଂଜନ ଦାଶ, ଦତ୍ତାନନ୍ଦ ପଣ୍ଡା, ବୀରନ୍ଦ୍ର ବନଛୋର, ଭକ୍ତ ନାଏକ । ଆଜିର ଆଲୋଚ୍ୟ ବିଷୟ ଥିଲା ମଂଚ ନାଟକର ଅତିତ ବର୍ତ୍ତମାନ ଓ ଭବିଷ୍ୟତ । ଏଥିରେ ଅନେକ ଶ୍ରୋତା ସ୍ୱକୀୟ ମତ ପ୍ରଦାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାସ ଏହି ଆଲୋଚନାଚକ୍ରକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ଅଧ୍ୟକ୍ଷ ଶ୍ରୀକର ମିଶ୍ର ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିବା ସହିତ ଆଲୋଚକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

3 × 3 =