ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବକେନ୍ଦ୍ର ବ୍ରହ୍ମପୁରଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଆୟୋଜିତ ହୋଇଯାଇଛି । ଦେଶ ଗଠନରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଜର ଭବିଷ୍ୟତ ନିର୍ଦ୍ଧାରଣରେ ଯୁବପିଢି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ନିଜର ସାର୍ଥକତା ପ୍ରତିପାଦନ କରିଥାଆନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ସଭାପତିତ୍ୱ କରି ତାଙ୍କ ବକ୍ତବ୍ୟରେ ଏହା କହିଥିଲେ । ଏହି ଉତ୍ସବ ଜରିଆରେ ଆଗାମୀ ପିଢିଙ୍କୁ ଲୋକକଳା, ସଂସ୍କୃତିକୁ ଜୀବିତ ରଖିବା ପ୍ରୟାସ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ଯୁବ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ସମସ୍ତଙ୍କୁ ଅବଗତ କରାଇବା ସହ ଯୁବକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ, ତେଣୁ ଏହି ଉତ୍ସବ ପାଳନ ଦ୍ୱାରା ଯୁବ ଶକ୍ତିର ଉତ୍ସାହ ଓ ଉଦ୍ଦୀପନାକୁ ବୃଦ୍ଧିକରିବା ସହ ଯୁବକ ମାନଙ୍କୁ ସଂସ୍କୃତି, ପରମ୍ପରା ଆଦି ବିଷୟରେ ଜାଣିବାର ଅବସର ପ୍ରଦାନ ବୋଲି ପ୍ରକାଶ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁରର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ, ଯୁବ ଉତ୍ସବ ପାଳନ ଯୋଗୁଁ ଯୁବକ ମାନେ ନିଜନିଜର ପ୍ରତିଭା ପ୍ରଦର୍ଶନ କରିଥାଆନ୍ତି । ଯୁବଶକ୍ତିକୁ ଜାଗ୍ରତ କରିବା ଓ ସମାଜକୁ ଆଗେଇ ନେବା ହେଉଛି ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ । ଏହି ଉପଲକ୍ଷେ ଜିଲ୍ଲା ସ୍ତରରେ ଦଳଗତ ଲୋକନୃତ୍ୟ, ଏକକ ଲୋକନୃତ୍ୟ, ଦଳଗତ ଲୋକ ସଙ୍ଗୀତ, ଏକକ ଲୋକ ସଙ୍ଗୀତ, ହିନ୍ଦୀ/ଇଂରାଜୀ ଭାଷାରେ ପଦ୍ୟ ଲିଖନ, ଗଳ୍ପ ଲିଖନ, ଔପଚାରିକା ବକ୍ତୃତା, ଚିତ୍ରକଳା, ବିଜ୍ଞାନ ମେଳା, ମୋବାଇଲ ଫଟୋଗ୍ରାଫ୍ ଉପରେ ଯୁବ ଉତ୍ସବ ପ୍ରତିଯୋଗାତା ମାନ ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମନ୍ତେ ଚଳିତ ମାସ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଭୁବନେଶ୍ୱର ଠାରେ ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ୨୦ ତାରିଖ ଦିନ ଅଂଶ ଗ୍ରହଣ କରିପାରିବେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ସମାଜସେବୀ କେ. ଚନ୍ଦ୍ରଶେଖର ରେଡ୍ଡୀ, ନେହେରୁ ଯୁବକେନ୍ଦ୍ର, ବ୍ରହ୍ମପୁରର ଜିଲ୍ଲା ଯୁବ ଅଧିକାରୀ ଅକ୍ଷୟ ଭାସ୍କର ନିପାଣେ, ସମସ୍ତ କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁଗଣ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।