୩୫ତମ ବାର୍ଷିକ ତେରଦଣ୍ଡର ମହାମିଳନ ସମାରୋହ ଉଦ୍‌ଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ବର୍ଷ ପୂର୍ତ୍ତି ଅବସରରେ ୩୫ତମ ବାର୍ଷିକ ତେରଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି । ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରବିବାର ସକାଳେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ତେରଦଣ୍ଡ ସ୍ଥଳଙ୍କୁ ବରଣ କରାଯାଇଥିଲା । ମଧ୍ୟାହ୍ନ ସମୟରେ ଟାଉନ୍‌ର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡରେ ତେରଦଣ୍ଡନାଚ ରୁଷିପୁତ୍ର ତଥା ଦଣ୍ଡୁଆମାନେ ନିଜ ନିଜ ସ୍ଥାନରେ ପହଁଚି ବୀଣାକାର, ଢୋଲ ଓ ମହୁରୀର ତାଳେତାଳେ ଦଣ୍ଡନାଚର ସମସ୍ତ ବିଧିବିଧାନକୁ ସୁଲଳିତ ସ୍ଵରରେ ଗାନ କରିଥିଲେ । ମଧ୍ୟାହ୍ନରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ, ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା । ଅପରାହ୍ନରେ ଆଦର୍ଶ ପୁଷ୍କରିଣୀରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେରଦଣ୍ଡର ଏକ ମହାମିଳନରେ ଢୋଲିଆ, ପାଟଭୁକ୍ତା, ମହୁରିଆଙ୍କ ମିଳନ ହୋଇଥିବା ବେଳେ ଯାହାକୁ ହଜାର ହଜାର ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ । ଏଥିରେ ବାଲିଗୁଡ଼ା, ମେଲସିକିଆ, କତେରୀଭଟ୍ଟା, ରେବିଙ୍ଗିଆ, ରୁତୁଙ୍ଗିଆ, ଗୁଡ୍ରିଗାଁ, ଦଣ୍ଡପଦର, ପୋଖରୀବନ୍ଧ, ବାଟାଗୁଡା, ବାରଖମା, ସିଟୁପଡ଼ି ଓ ପ୍ରଥମ ଥର ପାଇଁ ଜିଲ୍ଲା ବାହାରୁ ଅର୍ଥାତ ରାୟଗଡା ଜିଲ୍ଲା ମୁନିଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ମୋହନଗିରି ଅଞ୍ଚଳର ଦଣ୍ଡନାଚ ଦଳ ଯୋଗଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ । ସନ୍ଧ୍ୟାରେ ସୁନାମ ଧନ୍ୟ କଳାକାରମାନଙ୍କ ଦ୍ୱାରା ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ସଙ୍ଗୀତ ସନ୍ଧ୍ୟା” ଆୟୋଜନ ହୋଇଥିଲା । ରାତ୍ରିରେ ଝୁଣାଦଣ୍ଡ ପଟୁଆର ସହ ସୋମବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ରୀନା ପ୍ରଧାନ, ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ସମେତବହୁ ପଦାଧିକାରୀ ଉପସ୍ଥିତ ରହି ମିଳନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସମିତିର ସଭାପତି କିଶୋର କୁମାର ପାଳ, ଉପସଭାପତି ସୁଜିତ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତି, ସହଯୋଗୀ ଉପଦେଷ୍ଟା ଲୋକନାଥ ପାଢ଼ୀ, ହିମାଂଶୁ ଶେଖର ଦାସ, ମଦନ ମୋହନ ପାଢ଼ୀ, ରାଜ କିଶୋର ଦାସ, ସଂଗ୍ରାମ କେଶରୀ ସାବତ, ଦଣ୍ଡ ଅଧିକାରୀ ଶିବରାମ ପ୍ରାଧନୀ, ସହଦଣ୍ଡ ଅଧିକାରୀ ଜଗନ୍ନାଥ ରାଓ, ତବତିଆ ମହାରଣା, ଅଧିକାରୀ ମନୋଜ କୁମାର ପାଳ, ଏବଂ କାର୍ଯ୍ୟକାରୀ ସଦସ୍ୟ ଦୟାନିଧି ସାହୁ, ସୁବାଷ ଚନ୍ଦ୍ର କହଁର, ଦୁଃଖିଶ୍ୟାମ ମହାରଣା, ରଶ୍ମି ରଞ୍ଜନ ମହାରଣା, ସନ୍ତୋଷ କୁମାର ପାତ୍ର, ଶ୍ରୀନିବାସ ଦୋରା, ଶ୍ୟାମ ସୁନ୍ଦର ଦାସ, ପଦ୍ମନ ନାୟକ, ପ୍ରଶାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ଆଚାରୀ, ରଞ୍ଜିତ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସମିତିର ସମସ୍ତ ସଦସ୍ୟ, ମହିଳା ସଂଘ ଯୁବକ ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଟାଉନ୍‌ର ବିଭିନ୍ନ ସ୍ଥାନରେ ବେହେରା ବ୍ୟବସାୟୀ ସଂଘ, ସତ୍ୟସାଇ ସେବା ସମିତି, କଳିଙ୍ଗାର ସ୍ନେହା ଫାଉଣ୍ଡେସନ୍‌ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଷ୍ଟଲ୍‌ କରି ଦିନତମାମ ପଣା ସହ ପାନୀୟଜଳ ବଣ୍ଟନ କରିଥିବା ବେଳେ ମା’ ଦକ୍ଷିଣକାଳୀ ହାଟ ବେପାରୀ ସଂଘ ତରଫରୁ ରବିବାର ରାତ୍ରିରେ ଅନ୍ନ ବଣ୍ଟନ କରିଥିଲେ । ଏହି ତେରଶମ୍ଭୁ ଦଣ୍ଡନାଚକୁ ଆଖି ଆଗରେ ରଖି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଷ୍ଟ ଅଫିସ୍‌ ଛକ ନିକଟରେ ଏକ ଅସ୍ଥାୟୀ ପୋଲିସ କେନ୍ଦ୍ର ଖୋଲିବା ସହ ଟାଉନ୍‌ର ପ୍ରତ୍ୟେକ ଛକ ଓ ଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ ।

Leave A Reply

Your email address will not be published.

4 − two =