ଭାରତୀୟ ସେନାର ଅବସରପ୍ରାପ୍ତ ହାବିଲଦାର ବେଣୁଧର ମାଝୀଙ୍କ ପରଲୋକରେ ଜିଲ୍ଲା ପୂର୍ବତନ ସୈନିକ ସଂଘର ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ତଥା ଭାରତୀୟ ସେନା ବିହାର ରେଜିମେଣ୍ଟର ଅବସରପ୍ରାପ୍ତ  ହାବିଲଦାର ବେଣୁଧର ମାଝୀଙ୍କ ଗତ ୧୮ ନଭେମ୍ବରରେ ହୃଦଘାତରେ ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ ସୋମବାର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ, ଉପସଭାପତି ସର୍ବେରାମ ପଟେଲ ଓ କୋଷାଧ୍ୟକ୍ଷ ଘାସିରାମ ବେହେରା ପ୍ରମୁଖ ଶୁଦ୍ଧିକ୍ରିୟା ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିକଟରେ ପହଂଚି ସମବେଦନା ଜଣାଇଛନ୍ତି । ସେମାନେ ସ୍ୱର୍ଗତ ବେଣୁଧରଙ୍କ ପରିବାର ଲୋକ ତଥା ଅବସର ଗ୍ରହଣ ପରବର୍ତ୍ତୀ ସମୟରେ ପାଉଥିବା ପେନସନ ଆଦି ସମ୍ପର୍କରେ ଅବଗତ ହେବା ସହ ତାଙ୍କ ପରଲୋକ ପରେ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତିରେ ସଂଘ ପକ୍ଷରୁ ମଧ୍ୟ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ସମୟରେ ସ୍ବର୍ଗତ ବେଣୁଧରଙ୍କ ଧର୍ମପତ୍ନୀ ଲବଙ୍ଗ ମାଝୀ, ସାନ ପୁଅ ସତ୍ୟ ମାଝୀଙ୍କ ସହ ସମସ୍ତ ପରିବାର ଲୋକ ଉପସ୍ଥିତ ଥିଲେ । ଭାରତୀୟ ସୈନ୍ୟବାହିନୀରେ କାର୍ୟ୍ୟ କରି ଅବସର ନେବା ପରେ ସ୍ବର୍ଗତ ମାଝୀ ବିଭିନ୍ନ ପ୍ରକାରର ସମାଜ କଲ୍ୟାଣ ମୂଳକ କାର୍ୟ୍ୟ କରିଥିଲେ । ପୂର୍ବରୁ ଗତ ୫ ମାସ ଆଗରୁ ଶ୍ରୀ ମାଝୀଙ୍କ ବିବାହିତ ବଡ଼ ପୁଅ ଶେଷଦେବ ମାଝୀଙ୍କ ମଧ୍ୟ ଆକସ୍ମିକ ପରଲୋକ ହୋଇଯାଇଥିଲା ।

Leave A Reply

Your email address will not be published.