
ବଲାଙ୍ଗିର, (କେପିଏନ୍ଏସ୍) : ଜନସାଧାରଣଙ୍କ ସମସ୍ୟାର ସମାଧାନ ସହ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ତତ୍ପର ହୋଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ପୁଇଁତଳା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ପୁଲିସ ବିଭାଗର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୃତ କୁମାର ପଣ୍ଡା ଶିବିରରେ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ମୋଟ ୧୬ଟି ଅଭିଯୋଗ ମଧ୍ୟରୁ ୫ଟି ଗୋଷ୍ଠୀଗତ ଓ ୧୧ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୨ଟିର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଆଧାର କରି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଥିଲା । ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସମସ୍ତ ବିଭାଗକୁ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା, ପ୍ରତ୍ୟେକ ବ୍ଲକରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରିବା ଏବଂ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା । ସେହିପରି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା, ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ସ୍ଥଳେ ଆଗୁଆ ସ୍ଥାନାନ୍ତର କରିବା, ହସ୍ପିଟାଲରେ ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ାର ପ୍ରତିଷେଧକ ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟିଆ ସକ୍ରିୟ ରଖାଯାଇଥିବା ବେଳେ ଜରୁରୀ ସହାୟତା ପାଇଁ ୯୪୩୮୭୭୬୩୯୪ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ବାତ୍ୟା ମୁକାବିଲାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ପଦକ୍ଷେପ ଓ ସଠିକ୍ ସମୟରେ ସତର୍କ ସୂଚନା ପ୍ରସାରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।