ଟିଟିଲାଗଡ଼ ଏସଡିପିଓଙ୍କ ସାମ୍ବାଦିକ ସମ୍ବିଳନୀ : ଦୋକାନରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ
- ପିକଅପ ଭ୍ୟାନ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ଠାରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦେଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସଇଁତଲା ଥାନା ଧରବଗଡ଼ ଗ୍ରାମର ବାଞ୍ଛାନିଧି ବଗର୍ତି (୩୩) ଓ ମନ ଓରଫ ମନବୋଧ ସେଲମା (୪୧ ), ଟିଟିଲାଗଡ଼ ଥାନା ସ୍ୱାଧୀନ ପଡାର ସମାରୁ କଟା (୩୦ ) ଓ ରଙ୍ଗବାହାଲିର (ରିଗଡୁଲ) ଗ୍ରାମର ପ୍ରେମାନନ୍ଦ ପୋଢ଼ (୨୬) ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ତତ୍ତ୍ୱବଧାନରେ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ ହୋଇଥିଲା । ପ୍ରକାଶ ଯେ, ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧିନସ୍ଥ ଧରବଗଡ଼ ଗ୍ରାମର ଲାଲୁ ଦାଣ୍ଡିଆ ନାମକ ଜଣେ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ପଞ୍ଚାୟତ ଛକ ପାଖରେ ଏକ ସାଇକେଲ ଓ ସାମଗ୍ରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ତେବେ ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତମାନେ ଦୋକାନ ତାଲା ଭାଙ୍ଗି ସାଇକେଲ ସହ ସାଇକେଲ ସାମଗ୍ରୀକୁ ଏକ ବଲେରୋ ପିକଅପ ଗାଡିରେ ଲୁଟ କରି ଫେରାର ମାରିଥିଲେ । ସକାଳୁ ଘଟଣା ଖବର ପାଇଁ ଲାଲୁ ବଡ଼ମାଳ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ସଇଁତଲା ପୋଲିସ ଥାନା କେଶ ନଂ ୨୭୮/୨୨ ରେ ମାମଲା ରୁଜୁ କରି ଦଫା ୪୫୭ , ୩୮୦ ଆଇପିସିରେ ଘଟଣା ତଦନ୍ତ ଆରମ୍ଭ କରିଥିଲା । ଏଥିରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାରଙ୍ଙ୍କ ତତ୍ତ୍ୱବଧାନରେ ଏକ ଟିମ ଗଠନ କରାଯାଇ ଖୋଡ଼ତାଳ ଆରମ୍ଭ ହୋଇଥିଲା । ଏହି ଟିମରେ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ଉଦ୍ୟମରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଥାନା ଏସଆଇ ସଂଗୀତା ବେକ ଓ ଏଏସଆଇ ଅରକ୍ଷିତ ନାୟକଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପୋଲିସ ୪ ଗୋଟି ସାଇକେଲ , ବଲେରୋ ପିକଅପ ଭ୍ୟାନ ନଂ ଙଜ୨୬ ୫୪୯୪, ଗୋଟିଏ ଧାରୁଆ କଟର ଓ ସାଇକେଲର ସାମଗ୍ରୀକୁ ପୋଲିସ ଜବତ କରିଛି । ଅନ୍ୟପଟେ ଟିଟିଲାଗଡ଼ରେ ନୂତନ ଭାବେ ଯୋଗଦାନ କରିବା ପରେ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାରଙ୍କ ଏହା ପ୍ରଥମ ସାମ୍ବାଦିକ ସମ୍ବିଳନୀ ହୋଇଥିଲା ।