pakka

ସହିତ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା ଓ ପ୍ରତିମୂର୍ତ୍ତିସ୍ଥାପନ ଦାବୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡଜାତ ଅନ୍ତର୍ଗତ ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀମାନଧାତାଙ୍କ ସ୍ମୃତିରକ୍ଷା କରାଯିବା ଓ ଐତିହାସିକ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି । ଭୀମପାହାଡ ମହୋତ୍ସବ କମିଟି ତରଫରୁ ଏନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଜିଲ୍ଲାପାଳ ତୁରନ୍ତ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ଦ୍ୱାରା ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ କୁହାଯାଇଛି ଯେ, ଭାରତୀୟ ମୁକ୍ତିସଂଗ୍ରାମରେ ଐତିହାସିକ ସୀପାହୀ ବିଦ୍ରୋହର ପୂର୍ବରୁ ଘୁମୁସର, କଳାହାଣ୍ଡି ଓ ପାଟଣା ଗଡଜାତ ଅଞ୍ଚଳରେ କନ୍ଧମେଳୀ ଆରମ୍ଭ ହୋଇ ବ୍ରିଟିସଶାସନ ବିରୁଦ୍ଧରେ ଲଢାଇ କରାଯାଇଥିଲା । ଘୁମୁସରର ଚକରା ବିଶୋଇ ଓ ଉର୍ଲାଦାନୀର ରେଣ୍ଡୋ ମାଝୀ ଲଢେଇ କରି କରି ପାଟଣା ରାଜ୍ୟର ଅଟଗାଁ ଜମିଦାରୀ ଅଞ୍ଚଳକୁ ଆସି କନ୍ଧମାନଙ୍କୁ ମେଳିକରି ସଂଗ୍ରାମ କରିଥିଲେ । ସେ ସମୟରେ ଆଟଗାଁର ଜମିଦାର ଚକରା ବିଶୋଇ ଓ ରେଣ୍ଡୋମାଝୀଙ୍କ ସହଯୋଗୀମାନଙ୍କୁ ଭୀମପାହାଡରେ ଆଶ୍ରୟ ଦେଇଥିଲେ । ଏଠାରେ ଥିବା ଗୁମ୍ଫାମାନଙ୍କରେ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ରଗୁଡିକୁ ସୁରକ୍ଷିତ ରଖାଯାଇ ସଂଗ୍ରାମ କରାଯାଉଥିଲା । ଚକରା ବିଶୋଇ ଓ ରେଣ୍ଡୋମାଝୀଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ଧରମସିଂ ମାଝୀମାନଧାତା ବ୍ରିଟିସସର୍ସଙ୍କ ସହିତ ଲଢେଇ କରିଥିଲେ । ଏହି ଲଢେଇରେ ଚକୋରା ବିଶୋଇ ବ୍ରିଟିସ କବଳରୁ ଖସିଯାଇଥିବା ବେଳେ ଧରମସିଂ ମାଝିମାନଧାତା ଧରାପଡିଯାଇଥିଲେ । ସେ ସମୟରେ ତାଙ୍କୁ ନାଗପୁର ଜେଲକୁ ନିଆଯାଇ ବନ୍ଦି କରାଯାଇଥିଲା ଓ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ବଲାଙ୍ଗିର ଗେଜେଟିୟରରେ ଏନେଇ ବିସ୍ତୃତ ବିବରଣୀ ରହିଥିଲେ ହେଁ ଜଣେ ସହିଦଙ୍କୁ ଯେଭଳି ମାନ୍ୟତା ଦେବାକଥା ତାହା ଆଜି ପର୍ଯ୍ୟନ୍ତ ଦିଆଯାଇନାହିଁ । ସହିଦ ଧରମସିଂ ମାଝୀ ମାନଧାତାଙ୍କ ମହଲ ଆଜି ମଧ୍ୟ ଆଟଗାଁଠାରେ ଜର୍ଜରିତ ଅବସ୍ଥାରେ ପଡିରହିଛି । ତେଣୁ ଏହାର ସୁରକ୍ଷା ଓ ସଂରକ୍ଷଣ, ସହିଦ ଧରମସିଂ ମାଝୀ ମାନଧାତାଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟସ୍ତରୀୟ ଉତ୍ସବପାଳନ ଓ ଭୀମପାହାଡଠାରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ମହୋତ୍ସବ କମିଟି ଦାବୀ କରିଛି । ସହିଦଙ୍କ ସ୍ମୃତିରକ୍ଷା କରିବା ଆମର ସମସ୍ତଙ୍କର ଦାୟିତ୍ୱ । ଆମର ଆଗାମୀ ପିଢି ସେହି ସହିଦମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପେ ନେବେ ବୋଲି ମହୋତ୍ସବ କମିଟି ଦାବୀ କରିଛି । ଏହି ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, ଉପସଭାପତି ଘନଶ୍ୟାମ ପଧାନ ଓ ପିତବାସ ବିଶି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

eleven − 5 =