pakka

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ : ଧାରଣାରେ ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଙ୍ଘ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ, ଧାରଣାରେ ବ୍ଲକ ସ୍ତରୀୟ ଅମଲା ସଂଘ । ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବୀରେ ଚଳିତ ମାସ ୧ ତାରିଖରୁ ସମସ୍ତ ଅମଲା ସମୂହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି । ଖପ୍ରାଖୋଲର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଆଜି ପୁଣି ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଙ୍ଘ ସଦସ୍ୟମାନେ ରାଜ୍ୟ ଅମଲା ମଞ୍ଚର ଉପଦେଷ୍ଟା ବ୍ରଜବନ୍ଧୁ ଠାକୁରଙ୍କ ନେତୃତ୍ୱରେ ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବେନର ଧରି ନାରା ଦେଇ ନିଜର ଦବଦବା ଜାହିର କରିଥିଲେ ଫାଇଲ ଓ ଟେବୁଲ ଛାଡ଼ି ସମୂହ ଆନ୍ଦୋଳନରେ କର୍ମଚାରୀ । ଏଠି ଅନ୍ୟ ଦିନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଫିସକୁ ଆସି ନିରାଶ ହୋଇଛନ୍ତି ସାଧାରଣ ଲୋକେ । ଅମଲାଙ୍କ ଅନୁପସ୍ଥିତି ପାଇଁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏପଟେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ । ଅମଲା ମଞ୍ଚର ଦାବୀ ଯେ, ୨୦୧୭ ପରେ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ୍ ପେ ବୃଦ୍ଧି କରାଯାଇନି । ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ୍ ପେ, ଏବେ ବି ବଳବତ୍ତର ରହିଛି । ତେବେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ କରୁଥିବା ସେମାନେ ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରି ଆସୁଛନ୍ତି । ଏଥିପାଇଁ ଗତ ମେ’ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ଅଲଟିମେଟମ୍ ଦେଇଥିଲା ଅମଲା ସଂଘ । ସେହିଭଳି ମେ’ ୨୨ ରୁ ୩୧ ତାରିଖ ଯାଏଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା । ତା’ଭିତରେ ସରକାର ସେମାନଙ୍କ ଦାବୀ ପୂରଣ ପାଇଁ କୌଣସି ପଦକ୍ଷେପ ନନେବାରୁ ଆଜିକୁ ତିନିଦିନ ହେଲା ସିଟ୍‌ ଛାଡ, କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଅମଲା ମଞ୍ଚ । ଏହି ଆନ୍ଦୋଳନରେ ରମାକାନ୍ତ ଭୋଇ, ମାଧବ ସାହୁ, ରବିକାନ୍ତ ଲୁହା, ଜଗଦୀଶ ବିଶ୍ୱାଳ, ନେତ୍ରାନନ୍ଦ ବେହେରା, ଅକ୍ଷୟ କୁମାର ସାହୁ, ଅଶ୍ୱିନୀ କୁମାର ବାରିକ, ହରିଶ୍ଚନ୍ଦ୍ର ଭୁଏ, କାହ୍ନୁ ଚରଣ ସାହୁ, ମହେଶ୍ୱର ବଗର୍ତ୍ତୀ, ରଞ୍ଜନ ଥନାପତିଙ୍କ ସମେତ ଖପ୍ରାଖୋଲ ବ୍ଲକର ସମସ୍ତ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

9 − seven =