pakka

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

bbehera

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧ ଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାଯାଇଛି । ଓଡ଼ିଶା ଭାସ୍କର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ସ୍ୱର୍ଗତ ବସ୍ତିଆ କରୋନା ଦ୍ୱାରା ସଂକ୍ରମିତ ହୋଇ ଗତ ମଇ ୧୦ ତାରିଖ ଦିନ ଚିକିତ୍ସାଳୟକୁ ନେବା ରାସ୍ତାରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର କରୋନା ପରୀକ୍ଷା ହୋଇପାରି ନ ଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ତାଙ୍କ ପରିବାରକୁ ମିଳିପାରି ନାହିଁ । ତେବେ ଗତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ବସ୍ତିଆଙ୍କୁ ତାଙ୍କର କର୍ତ୍ତବ୍ୟ ଓ ନିଷ୍ଠା ପାଇଁ ମରଣୋତ୍ତର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପତ୍ର ସହ ଗୁରୁବାର ଦିନ ପୂର୍ବାହ୍ନରେ ବୌଦ୍ଧ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ଭେଟିବାକୁ ତାଙ୍କ କଣ୍ଟାମାଲ ବ୍ଲକ ଶୁଣ୍ଢିପଦର ସ୍ଥିତ ଘରେ ପହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିବା ବେଳେ ଥାନା ଅଧିକାରୀ ସୁଶ୍ରୀ କହଁର ନିଜର ବଦାନ୍ୟତା ଗୁଣ ଦେଖାଇ ଦୁର୍ବାକ୍ଷଙ୍କ ଶୋକ ସନ୍ତପ୍ତ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଥାନା ଅଧିକାରୀ ସୁଶ୍ରୀ କହଁରଙ୍କ ଏହି ମହାନତା ତଥା ଜଣେ ସାମ୍ବାଦିକଙ୍କ ପରିବାର ପାଇଁ ସମବେଦନା ଯୋଗୁଁ ଜିଲ୍ଲାର ସାମ୍ବାଦିକ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

seventeen − 17 =