ଭଦ୍ରକ : ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ନନ୍ଦପୁର ଗାଁର ଶୁକଦେବ ନାଥ ଜଣେ ଅଟୋ ଡ୍ରାଇଭର । ଗତବର୍ଷ ତାଙ୍କ ସ୍ତ୍ରୀଙ୍କ କରୋନାରେ ଦେହାନ୍ତ ହେବା ପରେ ସେ ହିଁ ୩ ଛୁଆଙ୍କୁ ପୋଷୁଥିଲେ । ସେ ଅଟୋ ଚଳାଇ ଯାହା ରାଜଗାର କରୁଥିଲେ ସେତିକିରେ ପରିବାର ଚଳି ଯାଉଥିଲା । କିନ୍ତୁ କିଛିଦିନ ତଳେ ତାଙ୍କୁ ହଠାତ ଥଣ୍ଡା ଜ୍ୱର ଆଉ କାଶ ହେବାରୁ ଡାକ୍ତରୀ ପରୀକ୍ଷା ପରେ କରୋନା ପୋସିଟିଭ ବାହାରିଲା । ଭଦ୍ରକ ମେଡିକାଲ ନେଲାପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଗଲା । ପ୍ରଥମ ଲହରରେ ମା’ ଓ ଦ୍ୱିତୀୟ ଲହରରେ ପିତାଙ୍କୁ ହରାଇ ୩ ଭାଇ ଭଉଣୀ ଦେଖୁ ଦେଖୁ ଅନାଥ ହୋଇଗଲେ । ଏହି ସମସ୍ୟାକୁ ସମାଜସେବୀ ବିଳାସିନୀ ରଣା ଟ୍ୱିଟର ଯୋଗେ ଭଦ୍ରକ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କୁ ଜଣାଇଲା ପରେ ୩ ଶିଶୁଙ୍କୁ ମାସିକ ଭତ୍ତାର ବ୍ୟବସ୍ଥା କରିଛନ୍ତି । ସେହିପରି ତାଙ୍କୁ ମାସିକ ରାସନ ମଧ୍ୟ ମିଳିବ ବୋଲି ଉତ୍ତର ରଖିଛନ୍ତି । ଏହା ସହ ୩ ଶିଶୁଙ୍କୁ ମାସିକ ୫୦୦ ସହ ଟଙ୍କା ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହି ଅସହାୟ ଶିଶୁ ମାନଙ୍କୁ ସରକାରୀ ସୁବିଧା ମିଳିଥିବାରୁ ଗ୍ରାମବାସୀ ଖୁସି ହୋଇ ସମାଜସେବୀ ବିଳାସିନୀ ରଣାଙ୍କ ଏହି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ।