
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମୃତ ବ୍ୟକ୍ତିଙ୍କ ଅସହାୟ ବିଧବା ପତ୍ନୀଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ, ମୁରିବାହାଲ ଶାଖା ପକ୍ଷରୁ ଜଣେ ବ୍ୟକ୍ତିଙ୍କ ପରଲୋକରେ ତାଙ୍କ ଅସହାୟ ବିଧବା ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରାଯାଇଛି । ମୁରିବାହାଲ ସଦର ବସ୍ତିର ସୁରୁସିଂ ବାଗଙ୍କ ଗତ ଜୁନ ୨୪ ତାରିଖ ଦିନ ପରଲୋକ ହୋଇଯାଇଥିଲା । ସେ ବଞ୍ଚିଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁରିବାହାଲ ଶାଖାରେ ଥିବା ତାଙ୍କ ଜମାଖାତାରୁ ବର୍ଷକୁ ମାତ୍ର ୪୩୬ ଟଙ୍କାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ଲକ୍ଷ ଟଙ୍କାର ଏକ ବୀମା କରିଥିଲେ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅସମୟ ମୃତ୍ୟୁରେ ପତ୍ନୀ ଓ ତାଙ୍କର ୪ ସନ୍ତାନର ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଷ୍ଟେଟ ବ୍ୟାଙ୍କରେ ସେ ଏକ ବୀମା କରିଥିବା ଜାଣି ତାଙ୍କ ବିଧବା ପତ୍ନୀ ସସ୍ମିତା ବାଗ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ କରିବା ପରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା । ବ୍ୟାଙ୍କ ପରିସରରେ ଅନୁଷ୍ଠିତ ଏକ ସଭାରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୃତ ସୁରୁସିଂ ବାଗଙ୍କ ନୋମିନି ତଥା ବିଧବା ପତ୍ନୀ ସସ୍ମିତା ବାଗଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବାବଦ ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଶାଖା ପରିଚାଳକ ଚକ୍ରଧର ସାହୁ ଓ ସହାୟକ ଅଧିକାରୀ ଅଭିନବ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ, ମୁରିବାହାଲ ଶାଖା ପକ୍ଷରୁ ଜମାଖାତା ଥିବା ଖାତାଧାରକମାନଙ୍କ ପାଇଁ ଅତି କମ୍ ପ୍ରିମିୟମରେ ବିଭିନ୍ନ ପ୍ରକାରର ବୀମା ଯୋଜନାରେ ସାମିଲ କରାଯାଇ ବିଭିନ୍ନ ସହାୟତା ପ୍ରଦାନ କରାଯାଉଥିବା ଶାଖା ପରିଚାଳକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।