ସହର ମଧ୍ୟରେ ଦେଶୀ ମଦ ଭାଟି : ବଢୁଛି ହିଂସା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ସହର ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ଡ଼ିଭିଜନ । ଏଠାରେ ରହିଛି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କୋର୍ଟ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ, ପୌରପରିଷଦ କାର୍ୟ୍ୟାଳୟ, ସରକାରୀ ଡାକ୍ତରଖାନା, ପୋଲିସ ଷ୍ଟେସନ ଆଦି ବିଭିନ୍ନ ସରକାରୀ କାର୍ୟ୍ୟାଳୟ ସହ ସରକାରୀ ବିଦ୍ୟାଳୟଗୁଡିକ। ଏହା ସହ ସହର ମଝିରେ ଅଛି ସରକାରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଦେଶୀ ମଦଭାଟି । ମଦ ଭାଟିର ପ୍ରାୟ ୧ କିମି ମଧ୍ୟରେ ସରକାରୀ କାର୍ୟ୍ୟାଳୟଗୁଡିକ ରହିଛି । ସେହି ମଦଭାଟିରୁ ପ୍ରାୟ ୫୦୦ ମି ମଧ୍ୟରେ ଗୁଡ଼ାଏ ସରକାରୀ ଓ ବେସରକାରୀ ବିଦ୍ୟାଳୟ ରହିଛି । ଏହାକୁ ଲାଗି ରହିଛି ଚର୍ଚ୍ଚ । ଏସବୁରେ କାହାରିକୁ କିଛି ଆପତ୍ତି ନାହିଁ । କିନ୍ତୁ ଆପତ୍ତି ହେଉଛି ମଦଭାଟି ଥିବା ଅଞ୍ଚଳରେ ଅନେକ ମଦୁଆ ଚଳପ୍ରଚଳ କରିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ କେନ୍ଦ୍ର କରି ମଦଭାଟି ରାସ୍ତା ଦେଇ ଯାଇଥିବା ରାସ୍ତାକୁ ବାଏପାସ୍ ରାସ୍ତା ଭାବରେ ବ୍ୟବହାର କରାଯାଉଛି । ସେହି ରାସ୍ତା ଦେଇ ଶହ ଶହ ବଡ଼ ବଡ଼ ଟ୍ରକ୍ ଯିବା ଆସିବା କରିବା ସହ ଅନେକ ଛୋଟ ଛୋଟ ଗାଡ଼ି ମୋଟର ଯିବାଆସିବା ମଧ୍ୟ କରେ । ରାସ୍ତା ମଧ୍ୟ ଅଣଓସାରିଆ ରହିଛି, ଯେଉଁଥି ପାଇଁ ସେହି ଅଞ୍ଚଳରେ ବହୁତ୍ ଭିଡ଼ ରହେ । ବେଳେ ବେଳେ ଦୁର୍ଘଟଣା ମଧ୍ୟ ଘଟୁଥିବା ଲୋକେ କହନ୍ତି । ଏହା ସହ ରାସ୍ତାର ଦୁଇ ପଟରେ ଚାଖ୍‌ନା ଦୋକାନ ଥିବାରୁ ଲୋକଙ୍କ ଭିଡ଼ ଆହୁରି ଜମୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହା ସହ ସନ୍ଧ୍ୟା ସମୟରେ ମଦୁଆ ସଂଖ୍ୟା ଅଧିକ ହୋଇଥାଏ । ଯଦି ରାସ୍ତାରେ କେହି ଯିବା ସମୟରେ ମଦୁଆମାନଙ୍କ ସହ ଟିକିଏ ଲାଗି ଯାଆନ୍ତି ତେବେ ସେଠି ମହାଭାରତ ଯୁଦ୍ଧ ଆରମ୍ଭ ହୁଏ । ମଦୁଆମାନେ ଜବରଦସ୍ତି ଲୋକଙ୍କୁ ଅଟକାଇ ଟଙ୍କା ପଇସା ମାଗୁଥିବା ଲୋକେ ଆଲୋଚନା କରୁଛନ୍ତି । ମଦୁଆମାନେ ଏହି ଅଞ୍ଚଳରେ ସନ୍ଧ୍ୟା ସମୟରେ ଟିଉସନ୍ ଯିବା ଆସିବା ବେଳେ ମଧ୍ୟ ପିଲାଙ୍କୁ ଅଟକାଇ ହଇରାଣ କରୁଥିବା କଥା ମଧ୍ୟ ଆଲୋଚନା ହେଉଛି । ଏହା ସହ ମଦଭାଟିରେ ମଦ ପାଉଚ୍ ବିକ୍ରି ହେବା ସଂଗେ ସଂଗେ ତାର ସାମ୍ନାରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ମଦ ବିକ୍ରି ହେଉଛି । ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ମଦ ବିକ୍ରି ଚାଲିଛି । ବଡ଼ କଥା ଯେ, ଏଥିରେ ୧୦ ବର୍ଷ ରୁ ୧୫ ବର୍ଷର ନାବାଳକମାନେ ମଧ୍ୟ ଲିପ୍ତ ରହିଥିବା ଦେଖିବାକୁ ମିଳୁଛି । ସେମାନେ ମଦଭାଟିରୁ କମ୍ ଦରରେ ମଦ କିଣି ଚଢ଼ାଦରରେ ବିକ୍ରି କରୁଛନ୍ତି । ଟିଟିଲାଗଡର ଏହି ମଦଭାଟି ପୋଲିସ ଷ୍ଟେସନରୁ ମାତ୍ର କିଛି ଦୂରରେ ଥାଇ ମଧ୍ୟ ବେଆଇନ ମଦ ପାଉଚ ବିକ୍ରି ଓ ମଦଭାଟି ପାଖରେ ଲୋକେ ହେଉଥିବା ହଇରାଣ ପ୍ରତି ପ୍ରଶାସନର କୌଣସି ଦୃଷ୍ଟି ପଡୁନଥିବ ଲୋକେ ଅଭିଯୋଗ କରିଛନ୍ତି । ସହର ମଝିରେ ଏହି ପରି ମଦଭାଟି ରହିବା କେତେ ଯୁକ୍ତି ଯୁକ୍ତ ବୋଲି ବୁଦ୍ଧଜୀବୀମାନେ ଆଲୋଚନା କରିଛନ୍ତି । ଟିଟିଲାଗଡବାସୀଙ୍କ ଏହି ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟିପଡୁ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.