jayashree

ବିକଶିତ ଭାରତ ଯୁବ ସଂଳାପ ଦିବସ ଓ ଯୁବ ଉତ୍ସବ ଉଦ୍‌ଯାପିତ

  • ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ଯୁବପ୍ରତିଭାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ ନେତୃତ୍ୱ ଦକ୍ଷତାର ବିକାଶ ସହ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଚେତନା ଓ ରାଷ୍ଟ୍ର ନିର୍ମାଣର ଭାବନାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ‘ବିକଶିତ ଭାରତ ଯୁବ ସଂଳାପ ଦିବସ ଓ ଯୁବ ଉତ୍ସବ’ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍, ପୌରାଞ୍ଚଳ ଓ ମହାବିଦ୍ୟାଳୟରୁ ଯୋଗଦେଇଥିବା ଯୁବପ୍ରତିଭାମାନେ ବିଭିନ୍ନ ପ୍ରତିଯୋଗିତାରେ ନିଜର କଳା, ସାଂସ୍କୃତିକ ଦକ୍ଷତା ଓ ସୃଜନଶୀଳତାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ । ଉତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଚ୍ଛାୟତ, ମହାରାଜା ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଯୁବ ଉତ୍ସବ ଜିଲ୍ଲାର ଯୁବପ୍ରତିଭାମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ଓ ପରିମାର୍ଜନ ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବାରେ ସହାୟକ ହୋଇଛି । ଏଥିସହ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନରେ ଯୁବପିଢ଼ିଙ୍କ ସକ୍ରିୟ ଭାଗୀଦାରି ପାଇଁ ଏହା ନୂତନ ପ୍ରେରଣା ଯୋଗାଇଛି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ଆଚାର୍ଯ୍ୟ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଉନ୍ନତ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ । ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ. ଶୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ସଫଳ ଆୟୋଜନରେ ଜିଲ୍ଲା ପ୍ରଶାସନ, କ୍ରୀଡ଼ା ବିଭାଗ, ଶିକ୍ଷା ବିଭାଗ, ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ଏବଂ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କର ସକ୍ରିୟ ସହଯୋଗ ରହିଥିଲା ।

Leave A Reply

Your email address will not be published.