jayashree

କେନ୍ଦୁଝରରେ ବିକାଶର ନୂଆ ଅଧ୍ୟାୟ, ୧୨୯୨ କୋଟିର ୩୩୦ ପ୍ରକଳ୍ପର ଶୁଭାରମ୍ଭ

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦୁଝରର ବିକାଶକୁ ମିଳିଲା ନୂଆ ଗତି। ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି ଓ ଭିତ୍ତିଭୂମି କ୍ଷେତ୍ରରେ ଏକାଧିକ ବଡ଼ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋଟ ୧୨୯୨ କୋଟି ଟଙ୍କା ବ୍ୟୟରେ ୩୩୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ମଧ୍ୟରେ ରହିଛି ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ଟଙ୍କାର ୧୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ। ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ସ୍କୁଲ ସାମିଲ ଥିବାବେଳେ ଏଥିପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ବ୍ୟୟ ହେବ । ସେହିପରି ୧୪ କୋଟି ଟଙ୍କା ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସକୁ ଉଦ୍‌ଘାଟନ କରାଯାଇଛି । ଯୁବପିଢ଼ିଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ୨୩୭ କୋଟି ଟଙ୍କା ବ୍ୟୟରେ ୧୫ ମହଲା ବିଶିଷ୍ଟ ଟେକ୍‌-ବିଜନେସ୍ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ୫.୫୧ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏହା ଉତ୍ତର ଓଡ଼ିଶାରେ ଆଇଟି ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କେନ୍ଦୁଝର ପାଇଁ ଆସିଛି ଏକାଧିକ ନୂଆ ପ୍ରକଳ୍ପ । ଧରଣୀଧର ମେଡିକାଲ କଲେଜ ପରିସରରେ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରିଭେଣ୍ଟିଭ୍ କ୍ୟାନସର ସ୍କ୍ରିନିଂ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । ଏଠାରେ ମାଗଣାରେ ସମସ୍ତ ସେବା ମିଳିବ । ଏହା ସହ ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ସାତ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ଦଶ ମହଲା ବିଶିଷ୍ଟ ନର୍ସିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏଥିସହ କେନ୍ଦୁଝରରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୧୦ କୋଟି ଟଙ୍କା ବ୍ୟୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଏବଂ ୩୨ କୋଟି ଟଙ୍କା ବ୍ୟୟରେ ମଡ୍ୟୁଲାର ଓଟି କମ୍ପ୍ଲେକ୍ସ, ମଲ୍ଟି ୟୁଟିଲିଟି ସେଣ୍ଟର, ପୋଲିସ ଆଉଟପୋଷ୍ଟ ଓ ୩୦ ଜଣିଆ ବାରାକ୍ ଲୋକାର୍ପିତ ହୋଇଛି । କେନ୍ଦୁଝରକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଗାମୀ ଦିନରେ ଯୁବବର୍ଗଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି ଓ ଉଚ୍ଚଶିକ୍ଷାର ସୁଯୋଗ ମିଳିବା ସହ ଉନ୍ନତ ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.