jayashree

ସୁବର୍ଣ୍ଣପୁରର ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ରିଂଙ୍ଗ ରୋଡ୍, ରେଳଷ୍ଟେସନକୁ ରାସ୍ତା ଓ ବ୍ଲକ୍ ଛକ ମୁଖ୍ୟ ସମସ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଏବଂ ଦୀର୍ଘଦିନରୁ ଅଧାପନ୍ତରିଆ ହୋଇ ରହିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଦାବିରେ ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସାକ୍ଷାତ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ସହ ଏହି ସମସ୍ୟାଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସ୍ମାରକପତ୍ରରେ ସହରର ଅସମ୍ପୂର୍ଣ୍ଣ ରିଂରୋଡ୍ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଜାତୀୟ ରାଜପଥ-୫୭ରୁ ପ୍ରାୟ ୭ରୁ ୮ କିଲୋମିଟର ଦୂରରେ ଥିବା ସୁବର୍ଣ୍ଣପୁର ରେଳଷ୍ଟେସନକୁ ସିଧାସଳଖ ସଂଯୋଗ କରୁଥିବା ରାସ୍ତା ନିର୍ମାଣ, ବ୍ଲକ୍ ଛକର ସମ୍ପ୍ରସାରଣ ଓ ଦୁର୍ଘଟଣା ନିରାକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସେହିପରି ସହରର ଅଚଳ ହୋଇପଡ଼ିଥିବା ସ୍ୱୟଂଚାଳିତ ଟ୍ରାଫିକ୍ ସିଗନାଲକୁ ପୁନଃ କାର୍ଯ୍ୟକ୍ଷମ କରିବା, ଜନଗହଳିପୂର୍ଣ୍ଣ ରାସ୍ତାରେ ଯାନବାହନ ନିୟନ୍ତ୍ରଣ, ରାସ୍ତାର ମରାମତି ଓ ଆବଶ୍ୟକ ସ୍ଥାନରେ ପ୍ରଶସ୍ତୀକରଣ, ସହରର ପରିମଳ ବ୍ୟବସ୍ଥାର ଉନ୍ନତି, ନାଳନର୍ଦ୍ଦମାର ନିୟମିତ ସଫେଇ ଓ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନା ପରିଚାଳନା ଉପରେ ମଞ୍ଚ ଗୁରୁତ୍ୱାରୋପ କରିଛି । ମହାନଦୀରେ ବିଶୋଧନ ନକରି ନର୍ଦ୍ଦମା ଜଳ ମିଶିବା ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆବଶ୍ୟକ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ଓ ନିୟମିତ ତଦାରଖର ଆବଶ୍ୟକତା ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଏଥିସହ ସୁବର୍ଣ୍ଣପୁରର ଐତିହାସିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ମନ୍ଦିର ଓ ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ, ସହରର ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ଦାବି କରାଯାଇଛି । ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତ୍ତିକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା, ସମ୍ପୃକ୍ତ ବିଭାଗଗୁଡ଼ିକର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ଏବଂ ନିୟମିତ ଅଗ୍ରଗତି ସମୀକ୍ଷା କରିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି । କେବଳ ସମୀକ୍ଷା ବୈଠକ ଓ ଆଶ୍ୱାସନା ନୁହେଁ, ବରଂ ତାହାର ପ୍ରତିଫଳନ ଭୂମିସ୍ତରରେ ଦୃଶ୍ୟମାନ ହେବା ଆବଶ୍ୟକ ବୋଲି ପ୍ରତିନିଧି ଦଳ ମତ ପ୍ରକାଶ କରିଥିଲେ । ଆଲୋଚନାରେ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ସହିତ ବିଜୟ କେତନ ରାୟଗୁରୁ, ଅକ୍ଷୟ କୁମାର ସେଠୀ ଓ ଦୁଃଖୀରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୁବର୍ଣ୍ଣପୁରକୁ ଏକ ସୁରକ୍ଷିତ, ସ୍ୱଚ୍ଛ, ସୁନ୍ଦର ଓ ସୁବ୍ୟବସ୍ଥିତ ଜିଲ୍ଲା ମୁଖ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ଜିଲ୍ଲା ପ୍ରଶାସନ ଏହି ଜନସ୍ୱାର୍ଥ ସମ୍ବଳିତ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଠୋସ୍ ପଦକ୍ଷେପ ଗ୍ରହଣ କରିବ ବୋଲି ମଞ୍ଚ ଆଶା ପ୍ରକାଶ କରିଛି ।

Leave A Reply

Your email address will not be published.