
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ସରକାରୀ ITIର ଅଧ୍ୟକ୍ଷ । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରିନ୍ସିପାଲ୍ ସୁରେଶ କୁମାର ଦଳବେହେରା । ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କ ଚାକିରି ଜାରି ରଖିବା ଏବଂ ଦରମା ମଞ୍ଜୁର କରାଇବା ପାଇଁ ସେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ଟଙ୍କା ନଦେଲେ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କୁ ଚାକିରିରୁ ବାହାର କରିଦେବାକୁ ଧମକ ଦେଇଥିଲେ ଅଧ୍ୟକ୍ଷ । ଏନେଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ନଭେମ୍ବର ୬ ତାରିଖରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା । ବଲାଙ୍ଗିର ରେଳ ଷ୍ଟେସନରେ ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କାର ପ୍ରଥମ କିସ୍ତି ଭାବେ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରାଯାଇଛି ।ସେପଟେ ଆୟବହିର୍ଭୂତ ସମ୍ପତ୍ତି ଠାବ ପାଇଁ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଘଟଣାକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଥିବାବେଳେ ତଦନ୍ତ ପରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି ।