
ବରଗଡ଼, (ମୁନ୍ନା ସାହୁ) : ଆଗାମୀ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ କରିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଆକସ୍ମିକ ଚଢ଼ାଉ ଜାରି ରହିଛି । ସୋହେଲା ବ୍ଲକର ଦୁଷମାଇଲ ଛକ ଓ ଚକରକେନ୍ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୧୫ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ସମୟରେ ପ୍ରାୟ ୭୦ କିଲୋଗ୍ରାମ ବାସି ଓ ଫିମ୍ପି ଲାଗିଥିବା ଖାଦ୍ୟ ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏହାସହ ଖାଦ୍ୟରେ କ୍ଷତିକାରକ ରଙ୍ଗ ଏବଂ ଖବରକାଗଜ ବ୍ୟବହାର ଦ୍ୱାରା ହେଉଥିବା ସ୍ୱାସ୍ଥ୍ୟହାନୀ ସମ୍ପର୍କରେ ବ୍ୟବସାୟୀମାନଙ୍କୁ ସଚେତନ କରାଯାଇଥିଲା । ଖାଦ୍ୟ ପ୍ରସ୍ତୁତି ସମୟରେ ଉତ୍ତମ ମାନ ଓ ସ୍ୱଚ୍ଛତା ନିୟମ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯାଞ୍ଚ ସମୟରେ ୩ଟି ପନିର୍ ନମୁନାକୁ ଆୟୋଡିନ୍ ଦ୍ରବଣ ଦ୍ୱାରା ପରୀକ୍ଷା କରାଯାଇ ସନ୍ତୋଷଜନକ ଫଳାଫଳ ମିଳିଥିବା ବେଳେ ଅଧିକ ପରୀକ୍ଷା ପାଇଁ କିଛି ଖାଦ୍ୟ ନମୁନା ସଂଗ୍ରହ କରି ଲାବୋରେଟୋରୀକୁ ପଠାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ଏହି ଯାଞ୍ଚ ଅଭିଯାନ ଜାରି ରହିଛି । ନଭେମ୍ବର ୨ ତାରିଖରେ ଅତାବିରା ବ୍ଲକରେ ୧୨ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ପ୍ରାୟ ୧୫ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା । ସେହିପରି ନଭେମ୍ବର ୩ ତାରିଖରେ ଭଟଲି ବ୍ଲକରେ ୧୦ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ପ୍ରାୟ ୭ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା । ଦୀପାବଳି ପର୍ବ ଶେଷ ହେବା ପର୍ଯ୍ୟନ୍ତ ଏହି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।