pakka

ନୂଆଁଖାଇ ଦିନ ମୃତ ମା’ର ଶବ ସତ୍କାର କରିବା ପାଇଁ ମନା କଲା ପୁଅ : ସଂକଳ୍ପ ପରିବାର କଲା ଶବ ସତ୍କାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ନୂଆଁଖାଇ ଦିନ ନିଜ ଜନ୍ମ କଲା ମା’ର ମୃତ ଶରୀରକୁ ସତ୍କାର କରିବା ପାଇଁ ମନା କଲା ପୁଅ । ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ଶବ । ପରେ ଖବର ପାଇ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ସ୍ଥାନୀୟ ଜୀରାନଦୀ କୂଳରେ ତାଙ୍କର ଶବ ସତ୍କାର କରାଯାଇଥିଲା । ସୂଚନା ମୁତାବକ ବରଗଡ ସହର ପୁରୁଣା ବସ ଷ୍ଟାଣ୍ଡ ପଛପଟେ ଥିବା ଝୁପୁଡିପଡ଼ାର ମଳି ମିର୍ଧା(୬୦) ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ଥିଲେ ଗତ କାଲି ସନ୍ଧ୍ୟା ୬ଟା ସମୟରେ ତାଙ୍କ ଘରେ ସେ ମୃତ୍ୟୁବରଣ କରିଥିଲେ । ମୃତ୍ୟ ସମୟରେ ପାଖରେ ତାଙ୍କର ସ୍ୱାମୀ ମୁକୁନ୍ଦ ମିର୍ଦ୍ଧା ଓ ତାଙ୍କର ଝିଅ ସଞ୍ଜୁ ମିର୍ଦ୍ଧା ଶବ ପାଖରେ ବସି ରହିଥିଲେ । ଅନ୍ୟତ୍ର ରହୁଥିବା ତାଙ୍କର ପୁଅକୁ ମା’ର ମୃତ ଖବର ଦେଇଥିଲେ ସୁଦ୍ଧା ସେ ଆଜି ନୂଆଁଖାଇ ପୂଜା ପର୍ବାଣୀ ଦିନ ଆସିପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଭାବରେ ମନା କରି ଦେଇଥିଲେ । ଏପରିକି ଆଜି ନୂଆଁଖାଇ ଦିନ ହୋଇଥିବାରୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ଆସିନଥିଲେ । ତେଣୁ ନିରୁପାୟ ହୋଇ ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ମୃତ ବ୍ୟକ୍ତିଙ୍କ ଶବ । ପରେ ପଡାବାସୀଙ୍କ ଠୁ ଖବର ପାଇ ସଂକଳ୍ପ ପରିବାରର ସଦସ୍ୟ ସକାଳ ୯ଟା ସମୟରେ ତାଙ୍କ ଘରକୁ ପହଞ୍ଚି ଥିଲେ ଓ ସଂକଳ୍ପ ରଥ ସାହାଯ୍ୟରେ ଆଣି ସ୍ଥାନୀୟ ଜୀରାନଦୀ ତଟରେ ଥିବା ଶ୍ମଶାନରେ ଶବ ସତ୍କାର କରିଥିଲେ । ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଜି ରମେଶ, ନିଧାନ ଦନ୍ତା, ସନ୍ତୋଷ ଦନ୍ତା, ସନ୍ତୋଷ ସାହୁ ପ୍ରମୁଖ ଶବ ସତ୍କାରରେ ସାମିଲ ଥିବା ବେଳେ ସ୍ଥାନୀୟ ଯୁବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × four =