
- ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଚିର ସ୍ମରଣୀୟ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ରୂପରେଖ ପ୍ରସ୍ତୁତି କରିଛି । ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଆଜି ଚିର ସ୍ମରଣୀୟ ରହିବ । ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ସ୍ଥଳରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି । ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗାନ୍ଧୀ ସମାଧି ପୀଠରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗାନ୍ଧୀ ଜୟନ୍ତୀ ପାଳନ କରିଛି । ବିଶିଷ୍ଟ ଗନ୍ଧମାର୍ଦ୍ଦନ ସଂଗ୍ରାମୀମାନେ ଯୋଗଦେଇ ଗାନ୍ଧୀ ବିଚାରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ହୋଇ ସଫଳତା ହାସଲ କରିଥିବା କାରଣରୁ ଅଞ୍ଚଳ ପାଇଁ ଚିର ସ୍ମରଣୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ଯୁବ ପରିଷଦ ଆଗାମୀ ଦିନର ରୂପରେଖ ପ୍ରସ୍ତୁତି କରି ସଂଗ୍ରାମ ଜାରି ରଖିବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛି । ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ତାଙ୍କ ଚିତାଭସ୍ମକୁ ବିଭିନ୍ନ ଦର୍ଶନୀୟ ପୀଠରେ ବିସର୍ଜନ କରାଯାଇଥିଲା । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଅଲେଖ ପାତ୍ରଙ୍କ ସମେତ ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦ୍ଵାରା ନୃସିଂହନାଥ ସ୍ଥିତ ପାପହାରିଣୀ ଝରଣାରେ ବିସର୍ଜନ କରାଯାଇ ସମାଧି ପୀଠ ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼କୁ ଖଣି ଖନନ କରିବାକୁ ବାଲକୋ କମ୍ପାନୀ ପୟାରମ୍ଭ୍ କରିଥିଲା । ଫଳରେ ଅଞ୍ଚଳର ଜନସାଧାରଣଙ୍କ ଦ୍ଵାରା ବ୍ୟାପକ ଆନ୍ଦୋଳନର ସୂତ୍ରପାତ ହୋଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନାମକ ଜନ ସଂଗଠନ ଗଢି ଉଠିଥିଲା । ସେଦିନ ଏହିଠାରେ ଯୁବ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଆଜି ମଧ୍ୟ ପାଳନ କରିଛି । ଆଜି ଗାନ୍ଧୀଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ ଯୋଗଦେଇ ଗାନ୍ଧୀ ବିଚାର ଉପରେ ମାର୍ଗଦର୍ଶନ କରିଥିଲେ । ମନ୍ଦିରର ବିଚାରକ ସୁବୋଧ ପଣ୍ଡା ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଗାନ୍ଧୀବାଦୀ ନେତା ଶୁକ୍ରୁ ସାହୁ, ପୂର୍ବତନ ଆବାହକ ଧିରେନ ମହାନ୍ତି, ପୂର୍ବତନ ଆବାହକ ରାହାସ ସାହୁ ଓ ସୁରେଶଚନ୍ଦ୍ର ପ୍ରଧାନ, କୈଳାସ ଦିଶ୍ରି, ଦିବ୍ୟ ହଂସ, ଶଙ୍କର ପଣ୍ଡା, ବିନୋଦ ସେଠ, ରାଜେନ୍ଦ୍ର ସେଠ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ପରିଷଦର ବରିଷ୍ଠ ନାରୀ ନେତ୍ରୀ ଓମକାନ୍ତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।