jayashree

ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ନୈତିକ ଜୀବନର ଆଦର୍ଶ ଏବଂ ଶାସ୍ତ୍ରୀଜୀଙ୍କ ସରଳତା, ଦେଶପ୍ରେମ, ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ମହାନ ବ୍ୟକ୍ତିତ୍ୱଦ୍ୱୟଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଜଣେ ଦାୟିତ୍ୱବାନ ଓ ଆଦର୍ଶ ନାଗରିକ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ ଯୋଡ଼ି ହୋଇଥିଲା । ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଆରାଧ୍ୟା ବଗର୍ତ୍ତୀ ଜିଲ୍ଲାସ୍ତରୀୟ ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଆରାଧ୍ୟାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆରାଧ୍ୟାଙ୍କୁ ରାଜ୍ୟସ୍ତରରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଜିଲ୍ଲାର ଗୌରବ ବୃଦ୍ଧି କରିବା ପାଇଁ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.