
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାସ୍ଥିତ ଡ. ଏ. ଏନ. କେ. ଡିଏଭି ପବ୍ଲିକ ସ୍କୁଲ ପରିସରରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ଛୁଟିଦିନ ଥିବାରୁ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ ଏବଂ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ସଙ୍ଗୀତ ଶିକ୍ଷକ ବିନୋଦ ସାର ଏବଂ ଅନ୍ୟ ଶିକ୍ଷକମାନେ ‘ରାମଧୂନ’ ପରିବେଷଣ କରି ପବିତ୍ର ପରିବେଶ ସୃଷ୍ଟି କରିଥିଲେ । ଏହାପରେ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ତିରଙ୍ଗା ଏସ୍. ମାର୍ଥା ଶାସ୍ତ୍ରୀଜୀଙ୍କ ବିଷୟରେ ମତାମତ ଉପସ୍ଥାପନ କରିଥିଲେ । ଶ୍ରୀମତୀ ସୁନିତା ସାମଲ ମହାନ ବ୍ୟକ୍ତିତ୍ୱମାନଙ୍କ ସମ୍ପର୍କରେ ଉଲ୍ଲେଖନୀୟ ଉକ୍ତି ଓ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀମତୀ ନନ୍ଦିତା ବୋଷ ଗାନ୍ଧୀଜୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋ ମୂଲ୍ୟବାନ ଓ ଉତ୍ସାହଜନକ ବାର୍ତ୍ତା ପ୍ରଦାନ କରିଥିଲେ ।