pakka

ହକି କ୍ରୀଡାବିତଙ୍କ ମୌଳିକ ଆବଶ୍ୟକତା ପୂରଣ କରାଯାଉ : କଂଗ୍ରେସ

ରାଉରକେଲା, (ସସ୍ମିତା ପ୍ରଧାନ) : ହକି କ୍ରୀଡାବିତଙ୍କ ମୌଳିକ ଆବଶ୍ୟକତାକୁ ଅଣଦେଖା କରାଯାଉଛି ଅଥଚ ଆସନ୍ତା ୨୦୨୩ ହକି ବିଶ୍ୱକପକୁ ନେଇ ରାଜ୍ୟ ସରକାର ଆତ୍ମ ପ୍ରଚାରରେ ମାତିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏ ସମ୍ପର୍କରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜର୍ଜ ତିର୍କୀ ଓ ବରିଷ୍ଠ ନେତା ବିରେନ ସେନାପତି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ୨୦୨୦ ମାର୍ଚ୍ଚ ମାସରୁ କରୋନା କଟକଣା ଅନୁଯାୟୀ ରାଉରକେଲା ଓ ସୁନ୍ଦରଗଡ ସମେତ ରାଜ୍ୟର ୧୬ଟି କ୍ରୀଡା ଛାତ୍ରାବାସକୁ ବନ୍ଦ ରଖାଯାଇଛି । ତେବେ କ୍ରୀଡାବିତମାନେ ଘରେ ରହି କ୍ରୀଡା ଅଭ୍ୟାସରୁ ବଂଚିତ ହୋଇଥିବା ବେଳେ ଅନଲାଇନ୍ ପାଠପଢାରେ ସୁଯୋଗ ପାଉଥିଲେ । ଅବଶ୍ୟ ଦୁର୍ଗମ ଅଞ୍ଚଳରେ ଅନଲାଇନ୍ ସୁବିଧା ଉପଲବ୍ଧ ନଥିବାରୁ ପାଠ ପଢା ବ୍ୟାହତ ହୋଇଥିଲା । ଏବେ ଧିରେ ଧିରେ ପରିସ୍ଥିତି ସୁଧୁରୁ ଥିବା ବେଳେ ସ୍କୁଲ କଲେଜରେ ପାଠପଢା ସାଙ୍ଗକୁ ବିଭିନ୍ନ ରାଜନୈତିକ ଶୋଭାଯାତ୍ରା ଓ ବିକ୍ଷୋଭ କାର୍ଯ୍ୟକ୍ରମ ତଥା ସାମାଜିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । କିନ୍ତୁ କ୍ରୀଡାବାସ ଖୋଲି ନଥିବାରୁ ପିଲା ମାନେ ନା ଫେରି ପାରୁଛନ୍ତି ନା ପାଠ ପଢିପାରୁଛନ୍ତି । ନବମ ଶ୍ରେଣୀରୁ ଉଚ୍ଚ ଶ୍ରେଣୀର ପିଲାଙ୍କ ପାଠପଢ଼ା ଦୁଇମାସ ହେବ ଅନଲାଇନରେ ହେଉନାହିଁ । ସେହିପରି ଦୀର୍ଘ ଦିନ ଧରି କ୍ରୀଡାବାସ ବନ୍ଦ ରହିବା ଫଳରେ କ୍ରୀଡାବିତଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି । ସେମାନଙ୍କ ମାନସିକ ଶକ୍ତି ଦୁର୍ବଳ ହେବା ସହିତ ଦକ୍ଷତା ଓ ଫିଟନେସ ମଧ୍ୟ ପ୍ରଭାବିତ ହେଉଛି । ତେଣୁ କ୍ରୀଡାବାସକୁ ଶୀଘ୍ର ଖୋଲିବାକୁ କଂଗ୍ରେସ ତରଫରୁ ଦାବୀ କରାଯାଇଛି । ସେହିପରି କ୍ରୀଡା ଛାତ୍ରାବାସରେ ବିଭିନ୍ନ ମୌଳିକ ସମସ୍ୟା ଲାଗି ରହିଛି । କ୍ରୀଡା ଅଭ୍ୟାସ କରାଯାଉଥିବା ଅଷ୍ଟୋଟର୍ଫ ପଡିଆ ପାର୍‌ଶ୍ୱରେ ପରିଶ୍ରାଗାର ନଥିବାରୁ ବିଶେଷ କରି ଛାତ୍ରୀ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଅଭ୍ୟାସ ମ୍ୟାଚ ଦେଖିବା ପାଇଁ ଗ୍ୟାଲେରୀ ଟିଏ ନାହିଁ, ଛାତ୍ରଛାତ୍ରୀଙ୍କୁ ଭେଟିବାକୁ ଆସୁଥିବା ଅଭିଭାବକଙ୍କ ପାଇଁ ଅଭ୍ୟର୍ଥନା କକ୍ଷ ନାହିଁ, ସାଇକେଲ ଷ୍ଟାଣ୍ଡ ଟିଏ ନାହଁ, ଅଭ୍ୟାସ ସମୟରେ ଛାତ୍ରଛାତ୍ରୀ ମାନେ ଆହତ ହେଲେ ଆଶୁ ଚିକିତ୍ସା ସୁବିଧା ନାହିଁ । ସେହିପରି ପ୍ରାୟ ୮ ବର୍ଷ ତଳେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚ ୧୬୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଅଦ୍ୟାବଧି ତାହା ବୃଦ୍ଧି କରାଯାଇ ନାହିଁ । ଏଭଳି ଅନେକ ମୌଳିକ ସମସ୍ୟା ଲାଗି ରହିଥିବା ବେଳେ ରାଜ୍ୟ ସରକାର ସେସବୁ ପ୍ରତି ଦୃଷ୍ଟି ନଦେଇ ଆତ୍ମ ପ୍ରଚାରରେ ମାତିଛନ୍ତି । ତେଣୁ ଏହାକୁ ଶୀଘ୍ର ପୂରଣ କରିବା ପାଇଁ ଦାବୀ କରାଯାଇଛି ଅନ୍ୟଥା ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତିର୍କୀ ଓ ଶ୍ରୀ ସେନାପତିଙ୍କ ସମେତ ସବିର ହୁସେନ, ଗିରିଜା ଶଙ୍କର ମିଶ୍ର, ଆର.କେ.ସିଂହ ଓ ଦିଲ୍ଲୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × three =