
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନର ଲଣ୍ଡାଗାଁ ବିଟର ବନପାଳ ଗିରିଶ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଅନାଗୁଲ ସରଂକ୍ଷିତ ଜଙ୍ଗଲର ବାଉଁଶଖୋଲ ଯୋର ଠାରେ ୭୭ ତମ ବନ ମହୋତ୍ସବରେ ୪ ହଜାର ବାଉଁଶ ଚାରା ରୋପଣ କରାଯାଇଛି । ଏହି ଅଞ୍ଚଳରେ ହାତୀମାନଙ୍କ ଚଳପ୍ରଚଳ ପଥ ହୋଇଥିବା ବେଳେ ବାଉଁଶ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବାରୁ ବନ ବିଭାଗ ପକ୍ଷରୁ ପ୍ରାଥମିକତା ଭିତ୍ତିରେ ବାଉଁଶ ଗଛକୁ ପ୍ରାଧାନ୍ୟ ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ସାରା ପୃଥିବୀରେ ପରିବେଶ ପରିବର୍ତ୍ତନକୁ ନେଇ ଚିନ୍ତିତ ଥିବା ବେଳେ ଖାଲିଥିବା ସ୍ଥାନରେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ‘ପ୍ରଥମେ ପ୍ରକୃତି ପରେ ମଣିଷ’ ବାର୍ତ୍ତା ଦିଆଯାଇଛି । ବେଳ ଥାଉ ଥାଉ ସୁଧୁରିଯିବା ନଚେତ ମାଡି ଆସିପାରେ ମହାବିପଦ ଏଣୁ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ବନବିଭାଗ ଅଧିକାରୀ, ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧି, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଭ୍ୟସଭ୍ୟା, ସମାଜ ସେବୀ, ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ୪ ହଜାର ବାଉଁଶ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନପାଳ ଗିରିଶ ସାହୁ, ଫରେଷ୍ଟ ଗାର୍ଡ ଦୀପକ କୁମାର ଖଣ୍ଡଗିରି, ଭିମରାଜ ବେହରଦଲାଇ, ସମେତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସାହୁ, ସଂଜୀବ କୁମାର ବେହେରା, ଶିକ୍ଷକ ପ୍ରଶାନ୍ତ ନାୟକ, ସରୋଜ କୁମାର ମଲ୍ଲିକ, ଦିବ୍ୟଲୋଚନ ମହାରଣା, ସନ୍ତୋଷ ପ୍ରଧାନ, ହେମସାଗର କହଁର, ଜଳନ୍ଧର ପରିଡା, ସତ୍ୟ ପ୍ରିୟା ନାୟକ, ସାମ୍ବାଦିକ ସନ୍ତୋଷ କୁମାର ଦାସ, ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରି ଚାରା ରୋପଣ କରିଥିଲେ ।
