ପ୍ରସ୍ତାବିତ ଆରଆଇ ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ଲମ୍ବସରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ ଆର୍‌ଆଇ ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ ଆଖପାଖ ୪୨ ଖଣ୍ତ ରାଜସ୍ୱ ଗ୍ରାମର ଲୋକେ କଣ୍ଟାମାଳ ଆରଆଇ ଅଫିସ ଘେରାଉ କରିଥିଲେ । ଗତ ୧୦ ବର୍ଷ ହେଲା ଲମ୍ବସରୀରେ ଆରଆଇ ଅଫିସ ସ୍ଥାପନ ପାଇଁ ବୌଦ୍ଧ ଜିଲ୍ଲାପାଳ ଓ ରାଜସ୍ବ କମିସନରଙ୍କ ନିକଟରେ ଦାବୀ ହୋଇ ଆସୁଥିଲା । ଗତ ଆରଆଇ ଅଫିସ ପୁନର୍ଗଠନ ସମୟରେ ଲମ୍ବସରୀରେ ଅଫିସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସମସ୍ତ ପ୍ରସ୍ତୁତି ସରିଥିଲା । ଏଥିପାଇଁ ୨୦୨୦ ମସିହା ମାର୍ଚ୍ଚ ମାସରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ଲମ୍ବସରୀ ଆସି ଜାଗା ଚିହ୍ନଟ ମଧ୍ୟ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ରାଜନୈତିକ ଚାପରେ ଲମ୍ବସରୀ ପରିବର୍ତ୍ତେ ଦପଲାରେ ଆରଆଇ ଅଫିସ ସ୍ଥାପନ ପାଇଁ ଯୋଜନା ଚାଲିଛି । ଫଳରେ ଏହାର ପ୍ରତିବାଦରେ ନାଏବ ସରପଞ୍ଚ ଗୋପବନ୍ଧୁ ପ୍ରଧାନଙ୍କ ନେତୃତ୍ତ୍ବରେ ଆଜି ୪୨ଖଣ୍ତ ଗ୍ରାମବାସୀ କଣ୍ଟାମାଳ ହାଟପଦାରୁ ଶୋଭାଯାତ୍ରା ବାହାରି ତହସିଲ ଅଫିସରେ ପହଞ୍ଚି ଅଫିସ ଘେରାଉ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଦପଲାକୁ ଯିବାକୁ ହେଲେ ଅନେକ ସମସ୍ୟା ରହିଛି ତେଣୁ ଲମ୍ବସରୀ ଠାରେ ଆରଆଇ ଅଫିସ ନିର୍ମାଣ କରାଯାଉ ନଚେତ ଦପଲା ପରିବର୍ତ୍ତେ କଣ୍ଟାମାଳ ମଣ୍ତଳରେ ଆମକୁ ସାମିଲ କରାଯାଉ ବୋଲି ୪୨ଖଣ୍ତ ରାଜସ୍ବ ଗ୍ରାମବାସୀ ଦାବୀ କରିଛନ୍ତି ଏବଂ ଏହାକୁ ଅଣଦେଖା କଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି । ଏ ବିଷୟରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନଙ୍କୁ ପଚାରିବାରୁ ଲମ୍ବସରୀ, ଶୁଣ୍ତିପଦର ଓ ଦପଲା ଆରଆଇ ସର୍କଲ ନିମନ୍ତେ ଆମେ ଆରଆଇ ଅଫିସ ପାଇଁ ପ୍ରସ୍ତାବ ଦେଇଥିଲୁ । କିନ୍ତୁ ୨ଟି ଆରଆଇ ସର୍କଲର ଲୋକେ ଅଭିଯୋଗ କରିଥିଲେ । ଯେହେତୁ ଦପଲା ମଧ୍ୟମ ସ୍ଥାନରେ ଅଛି ତେଣୁ ଆମେ ୩ଟି ପଞ୍ଚାୟତର ସୁବିଧା ପାଇଁ ଜାଗା ଚିହ୍ନଟ କରିଛୁ । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଆରଆଇ ଅଫିସ ନିର୍ମାଣ ହେବାର ଯୋଜନା ରହିଛି ବୋଲି କହିଛନ୍ତି । ଦାବୀପତ୍ର ଦେବା ସମୟରେ ଲମ୍ବସରୀ ସରପଞ୍ଚ ବିଜୟଲକ୍ଷ୍ମୀ ମେଣ୍ତିଲି, ସତ୍ୟବାଦୀ ପ୍ରଧାନ, ସୁଧାଂଶୁ ଶେଖର ମହାକୁଡ ଏବଂ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

7 + fourteen =