pakka

ଓଡିଶା ପାଇଁ ରେଳ ବଜେଟ

kalikesh
  • ରେଳ ବିଭାଗ ରାଜ୍ୟରୁ ନେଲା ଅଧିକ ଦେଲା କମ
  • ଓଡିଶାରୁ ଆୟ ୨୦ ହଜାର କୋଟି ଟଙ୍କା କିନ୍ତୁ ବ୍ୟୟ ଅଟକଳ ୧୦ ହଜାର କୋଟି
  • ରାଜ୍ୟ ସରକାରଙ୍କ ୮୪୦୦ କୋଟି ଦାବୀ ରାଜ୍ୟ ସ୍ୱାର୍ଥ୍ୟ ବିରୋଧୀ- ହେମନ୍ତ ପଣ୍ଡା
    ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ରେଳ ବଜେଟରେ ରାଜ୍ୟର ରେଳ ବିକାଶ ପାଇଁ ଓଡିଶା ସରକାର ୮୪୦୦ କୋଟି ଟଙ୍କା ଦାବୀ କରିଥିବା ବେଳେ ରେଳ ବଜେଟରେ ୧୦ ହଜାର ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡିଛି । ଓଡିଶା ଦାବୀ କରିଥିବା ୮୪୦୦ କୋଟି ଟଙ୍କାର କୌଣସି ଆଧାର ନାହିଁ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ୍ୟର ପରପନ୍ଥି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ରାଜ୍ୟର ବର୍ଦ୍ଧିତ ରେଳ ଯାତ୍ରୀ ସଂଖ୍ୟା ଓ ମାଲ ପରିବହନ ଜନିତ ଆୟକୁ ଅନୁଧ୍ୟାନ କଲେ ରାଜ୍ୟର ରେଳ ବିକାଶ ପାଇଁ ଆବଶ୍ୟକତା ଠାରୁ ରାଜ୍ୟ ସରକାର ବହୁତ କମ ଅର୍ଥ ଦାବୀ କରିଛନ୍ତି ବୋଲି ପଣ୍ଡା କହିଛନ୍ତି । ଗତ ଆର୍ଥିକ ବର୍ଷରେ ଓଡିଶା ପାଇଁ ବଜେଟ ଅଟକଳ ୯ ହଜାର ୭୩୪ କୋଟି ଥିବା ବେଳେ ଏବର୍ଷ ଓଡିଶା ଦାବୀ କରିଛି ମାତ୍ର ୮୪୦୦ କୋଟି ଟଙ୍କା । ପୁନଶ୍ଚ ଗତ ଆର୍ଥିକ ବର୍ଷ ତଥା ୨୧-୨୨ ଆର୍ଥିକ ବର୍ଷରେ ରେଳ ବିଭାଗ ଓଡିଶାରୁ ରେକର୍ଡ ଅର୍ଥରାଶି ଆୟ କରିଥିବା ବେଳେ ରେଳ ବିଭାଗର ଏହି ବିପୁଳ ଆୟ ପରିମାଣର ଅଧା ଅର୍ଥରାଶି ମଧ୍ୟ ରାଜ୍ୟ ଦାବୀ କଲା ନାହିଁ । ରେଳ ବିଭାଗ ଗତ ଆର୍ଥିକ ବର୍ଷରେ ଓଡିଶାରୁ ତଥା କେବଳ ଇଷ୍ଟକୋଷ୍ଟ ରେଲୱେରୁ ରେକର୍ଡ ପରିମାଣ ୧୯ ହଜାର ୯୬୭ କୋଟି ୮ ଲକ୍ଷ ଟଙ୍କା ଆୟ କରିଛି ବୋଲି ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି । ଗତ ୨୦-୨୧ ଆର୍ଥିକ ବର୍ଷରେ ଇଷ୍ଟକୋଷ୍ଟ ରେଲୱେ ୧୭ ହଜାର ୪୭୨ କୋଟି ୧୧ ଲକ୍ଷ ଟଙ୍କା ଆୟ କରିଥିଲା । କିନ୍ତୁ ୨୧-୨୨ ଆର୍ଥିକ ବର୍ଷରେ ଏହାଠାରୁ ଆହୁରି ଅଧିକ ୨ ହଜାର ୫୦୦ କୋଟି ଟଙ୍କା ଆୟ କରି ୧୯ ହଜାର ୯୬୭ କୋଟି ଟଙ୍କା ଆୟ କରିଛି । ଏହି ବିପୁଳ ଆୟ ପରିମାଣର ଅର୍ଦ୍ଧେକ ଅର୍ଥ ମଧ୍ୟ ଓଡିଶା ଚଳିତ ବର୍ଷ ପାଇଁ ଦାବୀ କଲା ନାହିଁ । ଗତ ବର୍ଷ ରେଳ ବଜେଟରେ ଓଡିଶା ପାଇଁ ବଜେଟ ବ୍ୟୟ ଅଟକଳ ଏବଂ ଓଡିଶାରୁ ରେଳ ବିଭାଗର ବିପୁଳ ଆୟକୁ ଅନୁଧ୍ୟାନ କରାନଯାଇ ଉପରଠାଉରିଆ ଭାବେ ଓଡିଶା ସରକାର ଏଭଳି ଦାବୀ ଉପସ୍ଥାପନ କରିଛନ୍ତି ବୋଲି ପଣ୍ଡା କହିଛନ୍ତି । ରେଳମନ୍ତ୍ରୀ ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ରାଜ୍ୟ ଅଧିକ ଅର୍ଥ ଦାବୀ କରିଥିଲେ ମିଳିବା ସମ୍ଭାବନା ଅଧିକ ଥିଲା । ଓଡିଶା ପାଇଁ ଗତ ବର୍ଷର ୯ ହଜାର ୭୩୪ କୋଟି ବଜେଟ ବ୍ୟୟ ଅଟକଳ ବୃଦ୍ଧି ପାଇ ଏବର୍ଷ ୧୦ ହଜାର କୋଟି ହୋଇଛି । ଏଥିରେ କୌଣସି ନୂତନତ୍ୱ କିମ୍ବା ଅସ୍ୱାଭାବିକତା ନାହିଁ ବୋଲି ପଣ୍ଡା କହିଛନ୍ତି । ଗତ ବର୍ଷ ରାଜ୍ୟ ପାଇଁ କରାଯାଇଥିବା ବଜେଟ ବ୍ୟୟ ଅଟକଳ ଓ ଇଷ୍ଟକୋଷ୍ଟ ରେଲୱେର ବିପୁଳ ଆୟ ପରିମାଣକୁ ରାଜ୍ୟ ସରକାର ଅନୁଧ୍ୟାନ କରି ଦାବୀ ଉପସ୍ଥାପନ କରିଥିଲେ ହୁଏତ ରାଜ୍ୟ ଅଧିକ ଲାଭବାନ ହୋଇଥାନ୍ତା ବୋଲି ପଣ୍ଡା କହିବା ସଙ୍ଗେ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ସରକାରଙ୍କ ୮୪୦୦ କୋଟି ଟଙ୍କା ଦାବୀ ରାଜ୍ୟ ସ୍ୱାର୍ଥ୍ୟ ବିରୋଧୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
pp
Leave A Reply

Your email address will not be published.

20 + sixteen =