ଖଲିପଥରରୁ ମଣ୍ଡୋଦର୍ହ ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଖଲିପଥର-ମଣ୍ଡୋଦର୍ହ ସହ ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହାର ପ୍ରତିକାର ଦିଗରେ ବିଭାଗୀୟ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନଥିବା ବିଷୟ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତାଟି ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ମରାମତି କରାନଯିବା ହେତୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ରାସ୍ତାର ମରାମତି ପାଇଁ ଗ୍ରାମବାସୀ ମାନେ ଲିଖିତ ଭାବେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବେଲପଡା ବିଡିଓଙ୍କୁ ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଏହି ରାସ୍ତାଟି ମୁଖ୍ୟ ସହର ପାଟଣାଗଡ଼, କଣ୍ଟାବାଞ୍ଜି ଓ ବେଲପଡାକୁ ସଂଯୋଗ କରୁଛି । ଏହି ରାସ୍ତା ଉପରେ ଗମନାଗମନ କରିବା ନିମନ୍ତେ ଦୈନଦିନ ଶହ ଶହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ନିର୍ଭର କରିଥାନ୍ତି । ଏହି ରାସ୍ତାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା, କଲେଜ, ବେଲପଡା ବ୍ଲକ କାର୍ଯ୍ୟାଳୟ ସମେତ କଲେଜ ବଜାର ଉପରେ ଲୋକେ ଯାତାୟତ କରିଥାନ୍ତି । ସରକାର ରାସ୍ତା ମରାମତି ନାମରେ ପ୍ରତିବର୍ଷ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହୋଇଥାଏ । ଅନ୍ୟପଟେ ରାସ୍ତାର ରକ୍ଷଣା ବେକ୍ଷଣ ମରାମତି ଦାୟିତ୍ୱ ଠିକାଦାର ହାତରେ ନ୍ୟସ୍ତ ରହିଥିବା ବେଳେ ମରାମତି କରୁନାହାନ୍‌ନ୍ତି ବୋଲି ଅଭିଯୋଗ ହେଉଛି । ନିମ୍ନମାନର କାର୍ଯ୍ୟ ହେତୁ ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ମତ ପ୍ରକାଶ ପାଇଛି । ଖଳିପଥରରୁ ମଣ୍ଡୋଦର୍ହ ପ୍ରାୟ ଦୁଇ କିମି ରାସ୍ତା ପିଚୁ ଉପୁଡ଼ି ରାସ୍ତାରେ ବହୁ ସ୍ଥାନରେ ବିରାଟ ଗର୍ତ୍ତ ମାନ ସୃଷ୍ଟି ହୋଇଛି । ଟିକିଏ ବର୍ଷା ହେଲେ ରାସ୍ତାଟି ଏକ ରକମର କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଟିକିଏ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି । ଫଳରେ ଗମନାଗମନରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ଦୂରାବସ୍ଥା ହେତୁ ଦୈନଦିନ ଛୋଟବଡ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଥିବାର ଅଭିଯୋଗ ହେଉଛି । ଏହି ରାସ୍ତାକୁ ମରାମତି କରାଯିବା ନିମନ୍ତେ ବାରମ୍ବାର ଲୋକେ ଦାବୀ କରୁଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଫଳରେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ଅନିଲ ମେହେର, ଅଜିତ ମେହେର, ବବଲୁ ମେହେର, ମୁକେଶ ମେହେର, କାଲିଆ ମେହେର, ରବିନ୍ଦ୍ର ପଣ୍ଡା, ଜୟ ମେହେର, ଶିବ ମେହେର, ନେପାଲ ମେହେର, ତପନ ମେହେର, ଫକୀର ବାଗ, କାର୍ତ୍ତିକଚନ୍ଦ୍ର ମେହେର ପ୍ରମୁଖଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

1 + three =

error: Content is protected !!