
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ବଡ଼ବାଙ୍କିରୁ ରଣାପଡ଼ା ଭାୟା ଜାମକି ଯିବା ରାସ୍ତା ୨ବର୍ଷ ହେବ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରଣାପଡ଼ାରୁ ସେହି ରାସ୍ତା ଦେଇ ଜାମକି ଗାଁ ଦେଇ ଲୋକେ ଯିବା ଆସିବା କରନ୍ତି । ମଝିରେ ପଡେ ଶଗରିଆପଡ଼ା, ସେହି ପଡାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ସେହି ସ୍କୁଲରେ ପ୍ରାୟ ୪୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ସ୍କୁଲକୁ ଯିବାକୁ ହେଲେ ନାଳ ଅତିକ୍ରମ କରି ଯିବାକୁ ପଡେ । ବେଳେ ବେଳେ ନାଳ ପାଣିରେ ଛୋଟ ପିଲା ଛାତ୍ରଛାତ୍ରୀ ବିପଦର ସମ୍ମୁଖିନ ମଧ୍ୟ ହୋଇ ଥାଆନ୍ତି । ବର୍ଷା ଦିନରେ ଏହି ରାସ୍ତା କାଦୁଅ ପଚପଚ ହେବା ସହ ସେହି ପୋଲ ନିର୍ମାଣ ହୋଇଥିବା ନାଳରେ ମୁଣ୍ଡେ ପାଣି ଆସିଥାଏ, ଯାହାଫଳର ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରନ୍ତି ନାହିଁ । ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ ତାର ସଂପୂର୍ଣ୍ଣ ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ୨୦୨୩/୨୪ ଆର୍ଥିକ ବର୍ଷରେ କାର୍ଯ୍ୟ ଆରମ୍ଭ ହୋଇ ପୋଲ ଅଧାପନ୍ତରିଆ ହୋଇ ରହିଯାଇଛି । ସଗରିଆ ପଡ଼ାର ଲୋକେ ବାରମ୍ବାର ପ୍ରଶାସନକୁ ଦାବୀ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଫଳର ଏହି କାର୍ଯ୍ୟର ନିର୍ମାଣ ସଂପୂର୍ଣ୍ଣ ହୋଇ ପାରୁନାହୁଁ ବୋଲି ସାଧାରଣରେ ଦାବୀ ହେଉଛି । ସ୍ଥାନୀୟ ବାସିନ୍ଦା ମକରଧ୍ଵଜ ମାଝୀଙ୍କ କହିବା ଅନୁସାରେ ଏହି ଅସଂପୂର୍ଣ୍ଣ ପୋଲ ପାଇଁ ବହୁତ୍ ହଇରାଣ ହେଉଛୁ । ବର୍ଷା ଦିନରେ ପଞ୍ଚାୟାତକୁ ଭତ୍ତା ହେଉ କି ଚାଉଳ ହେଉ ଏ ସବୁ ଆଣିଯିବା ଅସମ୍ଭବ ହୋଇପଡୁଛି । ଅର୍ଥାତ୍ ଜାମକି ଗାଁ ଦେଇ ସାନବାଙ୍କୀରୁ ସାଲେମୁଡଗାଁ ଦେଇ ବୁଲି କି ୬. କି. ମି ଯାଇକି ବଡ଼ବାଙ୍କୀ ପଞ୍ଚାୟତକୁ ଯିବାକୁ ପଡୁଥିବା କହିଛନ୍ତି । ଏହି ରାସ୍ତା ଓ ପୋଲରେ ଯାହା ଅନୁଦାନ ଆସୁଛି ତାହା ହଡ଼ପ ହୋଇ ଯାଉଛି । ଯାହା ପାଇଁ ସେତିକି କାର୍ୟ୍ୟ ହୋଇ ପାରୁନାହିିଁ । ଏନେଇ ତୁରେକେଲା ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପଚାରିବାରୁ ଖୁବଶୀଘ୍ର ଏହାର ତଦନ୍ତ କରି ତାର ସମାଧାନ କରାଯିବ ବୋଲି କହିଥିଲେ । ଶୁକ୍ରବାର ଗାଁ ଲୋକେ ପ୍ରତି ଘରୁ ୨୦୦ଟଙ୍କା ଲେଖାଏଁ ସଂଗ୍ରହ କରି କୁଲିମଜୁରୀ ଡାକି ରାସ୍ତା କାର୍ଯ୍ୟ କରିଛନ୍ତି । ପ୍ରଶାସନ ଓ ସରକାର ଉପରେ କ୍ଷୋଭ ପ୍ରକାଶ କରିବା ସହ ଡବଲ ଇଞ୍ଜିନ ସରକାରଙ୍କ ଯୋଜନା ଓ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହି ଅବସରରେ ଗାଁର ମକରଧ୍ଵଜ ମାଝୀ, କମଳା ମାଝି, ଭୂଷଣ ବେହେରା, ଝସ୍କେତନ ବରିହା ପ୍ରମୁଖ ଉପସ୍ଥିତ ରହି ରାସ୍ତା କାର୍ଯ୍ୟ କରାଇ ଥିଲେ ।