ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ରକ୍ତହୀନତା ନିରାକରଣ ଅଭିଯାନର ଶୁଭାରମ୍ଭ

  • ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସହର ସ୍ଥତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ରକ୍ତହୀନତା ନିରାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ “ଆନିମିଆ ମୁକ୍ତ କଳାହାଣ୍ଡି”ର ଲୋଗୋକୁ ଉନ୍ମଚୋନ କରିଥିଲେ । ପ୍ରଥମେ ଡିପିଏମ୍‌ ଅବନୀ ମହାପାତ୍ର ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଓ ରୂପାୟନ ଉପରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରୀମାନଙ୍କୁ ରକ୍ତହୀନତାକୁ ରୋକିବା ପାଇଁ ଯତ୍ନବାନ ଓ ଉପଚାର ସହ ଏକ ସୁସ୍ଥ ଜୀବନ ଶୈଳୀକୁ ଆପଣେଇବାକୁ ଆହ୍ୱାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟି୩(ଟେଷ୍‌ଷ୍ଟ, ଟ୍ରିଟ୍‌ ଆଣ୍ଡ ଟକ୍‌) ମାଧ୍ୟମରେ ପ୍ରତ୍ୟେକ ଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ପ୍ରଦାନ କରାଯାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ପ୍ରଶାସନର ଆୟୋଜନ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ରେଜିଷ୍ଟ୍ରେସନ, ରକ୍ତ ପରୀକ୍ଷା ଏବଂ ଉପଚାର ସମ୍ବନ୍ଧୀୟ ଔଷଧ ପ୍ରଦାନ କରାଗଲା । ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରୀଙ୍କ ରକ୍ତ (ହିମୋଗ୍ଲୋବିନ) ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା । ସର୍ଭେ ଅନୁଯାୟୀ ୨୦୧୯-୨୦୨୦ରେ କଳାହାଣ୍ଡି ଜିଲ୍ଲାରେ କିଶୋରୀ ବାଳିକା ଓ ଗର୍ଭବତୀ ମହିଳା ପ୍ରାୟ ୬୮% ରକ୍ତହୀନତାର ଶିକାର ହୋଇଛନ୍ତି । ରାଜ୍ୟରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରି ଆନିମିଆମୁକ୍ତ ଜିଲ୍ଲା ରୂପେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ଏହି ରକ୍ତହୀନତା ନିରାକରଣ ପାଇଁ ଜିଲ୍ଲାପାଳଙ୍କ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତପ୍ତରତାରେ ଏକ ପ୍ରସ୍ତାବ ନୀତି ଆୟୋଗକୁ ପ୍ରଦାନ କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା ରୂପେ ଏହି ପ୍ରସ୍ତାବ ନୀତି ଆୟୋଗ ଦ୍ଵାରା ଗ୍ରହଣ ହୋଇଥିଲା । ଉକ୍ତ ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରାୟ ୨ ଲକ୍ଷ କିଶୋରୀ ବାଳିକା ଓ ୩୦ ହଜାର ଗର୍ଭବତୀ ମହିଳାମାନଙ୍କୁ ହିମୋଗ୍ଲୋବିନ ପରୀକ୍ଷା ପୂର୍ବକ ପୃଥକିକରଣ କରାଯିବ ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ । ସଭା କାର୍ଯ୍ୟକ୍ରମରେ ୩ ଜଣ ଛାତ୍ରୀ ଲୌହ ବଟିକା ଖାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ତ୍ୱରାନ୍ୱିତ କରାଯିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତିବଦ୍ଧ ଅଛନ୍ତି । କାର୍ଯ୍ୟକ୍ରମ ଶିବିରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ପୌଷ୍ଟିକ ଆହାର ଓ ଲୌହସାର ଜାତୀୟ ଖାଦ୍ୟ ଉପରେ ବିଶେଷ ପ୍ରଦର୍ଶନୀ ହୋଇଥିଲା । ସଭାରେ ସମ୍ମାନିତ ଅତିଥି ରୂପେ ସିଡ଼ିଏମ୍‌ଓ ଡ ଅଞ୍ଜନ ମିତ୍ର, ଡିଇଓ ସୁଶାନ୍ତ ଚୋପଦାର, ଡିଆଇପିଆରଓ ମନୋଜ ବେହେରା, ଡିଏସ୍‌ଡବ୍ଲୁ ଓ ଜ୍ୟୋସ୍ନାରାଣୀ ପାତ୍ର, ଡିଡବ୍ଲୁଓ ଅରବିନ୍ଦ ରାୟ, ଏଡିପିଏଚଓ ଡ. ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଅଭିଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ୱାଲ୍ଡ ଭିଜନର ଅଧିକାରୀ, ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନନ୍ଦା ପଣ୍ଡା, ଶିକ୍ଷୟତ୍ରୀ ଓ ଛାତ୍ରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 2 =