jayashree

ବିପଦକୁ ନିମନ୍ତ୍ରଣ କରୁଛି : ଜାତୀୟ ରାଜପଥ ଓ ମୁଖ୍ୟ ବଜାର ମଧ୍ୟରେ ବିପଦପୂର୍ଣ୍ଣ ଶୁଖିଲା ଆମ୍ବ ଗଛ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି । ଏହି ଗଛଟି ତହସିଲଦାରଙ୍କ ବାସଭବନକୁ ଲାଗି ରହିଛି । ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି । ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା ଅଞ୍ଚଳ ମୁଖ୍ୟ ବଜାର ହୋଇଥିବା ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବାରୁ ପ୍ରତ୍ୟେକ ଦିନ ଶହଶହ ଜନସାଧାରଣ ଯାତାୟତ କରିଥାନ୍ତି । କିଛିଦିନ ତଳେ କାଳବୈଶାଖିରେ ବାଲିଗୁଡାରେ ଅନେକ ଗଛପଡି ଧନଜୀବନ ନଷ୍ଟ ହେବାର ନଜିର ରହିଛି । ପୁଣି ହଠାତ କାଳ ବୈଶାଖୀ ଆସିଲେ ଏହି ଗଛଟି ଯଦି ପଡିଥାଏ, ତେବେ ଅନେକ ଧନଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଗଛକୁ କାଟିବା ନିମନ୍ତେ ଗତକିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତହିଲଦାରଙ୍କୁ ଲିଖିତ ଆକାରରେ ଦେଇଥିଲେ । ସେହି ସମୟରେ ତହସିଲଦାର କହିଥିଲେ ଯେ, ବନବିଭାଗ, ଅଗ୍ନିଶମ ବାହିନୀ ଏବଂ ଏନ୍‌ଏସିରେ କୁହାଯାଇଛି । କିନ୍ତୁ ଲିଖିତ ଅଭିଯୋଗ କାଗଜରେ ସୀମିତ ରହିଯାଇଛି । ଅଭିଯୋଗ ଦେବାର ଦୀର୍ଘ ଦିନ ବିତିଯାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା ଉକ୍ତ ଗଛକୁ କାଟିବା ବ୍ୟବସ୍ଥା କରାଯାଇନାହିଁ । ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ କହିଛନ୍ତି ଯେ, ଗଛକୁ କାଟିବା ନିମନ୍ତେ ଆମେ ପ୍ରସ୍ତୁତ ରହିଛୁ କିନ୍ତୁ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟିଲେ ଗଛ କାଟିହେବ କିନ୍ତୁ ବର୍ତ୍ତମାନ ଖରାଦିନ ହୋଇଥିବାରୁ ବିଦ୍ୟୁତ ବିଭାଗ ଲାଇନକୁ କାଟୁନାହାନ୍ତି । ଏଣୁ ସେମାନେ ଲାଇନ କାଟିଲେ ଆମେ ଗଛକୁ କାଟିଦେବୁ ବୋଲି କହିଛନ୍ତି । ହେଲେ ଏହି ବିଷୟ ନେଇ ଯିଏ ଯାହା ମୁଣ୍ଡରୁ ଅଳିଆ ଛିଡାଇ ଦେଇଥିବା ବେଳେ ଯଦି ଅକସ୍ମାତ ଗଛଟି ପଡିଯାଏ ତେବେ ଏଥିପାଇଁ ଦାୟୀ କି’ଏ ରହିବ ଏବଂ ଯାହା କ୍ଷତି ହେବ କି’ ଏ ଭରଣା କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.