ଗୁରୁ ଦିବସ ଓ ଜିଲ୍ଲାସ୍ତରୀୟ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଜର୍ଜ ହାଇସ୍କୁଲ ଖେଳ ପଡିଆରେ ଗୁରୁ ଦିବସ ଓ ଜିଲ୍ଲାସ୍ତରୀୟ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଆଦିତ୍ୟ ଗୋୟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗ ଦେଇଥିଲେ । ଏହି ସଭାରେ ଏ.ଡି.ଏମ ଶ୍ରୀମତୀ ମଧୁ ଛନ୍ଦା ସାହୁ, ଚୂଡ଼ାମଣି ସେଠ ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ଏ.ଡି.ଇ ଓ ଜ୍ୟୋତିକନ୍ତ ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ ମଞ୍ଚାସୀନ ଥିଲେ । ସଭା ଆରମ୍ଭରୁ ପ୍ରଥମେ ଶ୍ରୀ ଗଣେଶ ଓ ମାଁ ସରସ୍ଵତୀ ଏବଂ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ବୁଲୁ ଶତପଥୀ ଗୁରୁବନ୍ଦନା ଗାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ର ଛାତ୍ରୀମାନେ ଗାନ କରିଥିଲେ । ଜିଲ୍ଲା ଶିକ୍ଷାଅଧିକାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୋବିନ୍ଦ ସେଠ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ । ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଷ୍ଟେପ ଅପ୍ ୭ର ଉଦ୍ଦେଶ୍ୟ ବିଷୟରେ ବିଶଦ ଭାବରେ ବୁଝାଇ ଥିଲେ ଓ ଏହା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ପରେ ଜିଲ୍ଲା ଓ ବ୍ଲକସ୍ତରୀୟ ଶିକ୍ଷା ପୁରସ୍କାର ଜିଲ୍ଲାସ୍ତରରେ ୧୧୩ଟି ଓ ବ୍ଲକ ସ୍ତରରେ ୧୨୨୫ ଟି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୋବିନ୍ଦ ସେଠ ଓ ସୁଶ୍ରୀ ସୋନାଲିକା ଶବରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଚ୍ଛିନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.