ଓଡ଼ିଶା ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ୍‌ରେ ଅଭିଭାବଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ । ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା- ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦନା କରିଆସୁଛନ୍ତି । ଏପରିକି କରୋନା ମହାମାରୀ ସମୟରେ ଗୃହରକ୍ଷୀମାନେ ନିଜ ଜୀବନକୁ ବାଜିଲଗାଇ, ନିଜ ଶରୀରର ପାଣି ଛଡାଇ ଜନସାଧାରଣଙ୍କର ସେବା କରିଆସିଛନ୍ତି । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛତ୍ରପୁର ପୁଲିସ ସବ୍‌ଡିଭିଜନର ୧୨ ଜଣ, ଭଞ୍ଜନଗର ପୁଲିସ ସବଡିଭିଜନର ୧୧ଜଣ, ପୁରୁଷୋତ୍ତମପୁର ପୁଲିସ ସବଡିଭିଜନର ୮ଜଣ ଓ ଆସିକା ପୁଲିସ ଡିଭିଜନର ୧୪ଜଣ ଗୃହରକ୍ଷୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଛି । ସମଗ୍ର ଗଞ୍ଜାମ ପୋଲିସ ଜିଲ୍ଲାର ସର୍ବମୋଟ ନିୟୋଜିତ ୫୮୦ ଜଣ ହୋମଗାର୍ଡ ଉପସ୍ଥିତ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ, ପି. କେ. ଦଳାଇ ଓ ରମେଶ ଚନ୍ଦ୍ର ସେଠୀ, ଡ଼ିଏସପି ସୀମା ସ୍ୱାଇଁ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଡିଏସ୍‌ପି ଏସ. ପ୍ରଧାନ, ଡିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର ଓ ମମତା ନାୟକ, ଆସିଷ୍ଟାଂଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ବରିଷ୍ଟ କିରାଣୀ ଏ. ରାବଣା ରାଓ, ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ସେଠୀଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ପ୍ୟାରେଡ ଚାଳନା କରିଥିଲେ ।

Leave A Reply

Your email address will not be published.

5 × one =