jayashree

ବରିଷ୍ଠ ନାଗରିକଙ୍କ ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରା ଆରମ୍ଭ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ସରକାରଙ୍କ ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକ ଆଜି ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲା ସଂସ୍କୃତି ଭବନଠାରୁ ଦୁଇଟି ବସ୍ ଯୋଗେ ଯାତ୍ରା କରିଥିବା ତୀର୍ଥଯାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅନିରୁଦ୍ଧ ପଧାନ ଏବଂ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ଆଜି ସମ୍ବଲପୁରରେ ପହଞ୍ଚି ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ସମ୍ବଲପୁର ରେଳ ଷ୍ଟେସନରୁ ଅଷ୍ଟମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୮ଟି ଜିଲ୍ଲାର ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ସୁବର୍ଣ୍ଣପୁର ଜିଲ୍ଲାରୁ ଯାତ୍ରା କରୁଥିବା ୫୨ ଜଣଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଓ ୨୦ ଜଣ ମହିଳା ଅଛନ୍ତି । ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଯତ୍ନ ଓ ସୁବିଧା ପାଇଁ ଦୁଇ ଜଣ ଏସକର୍ଟ ଅଧିକାରୀ ସହଦେବ ମେହେର ଏବଂ ବିଶ୍ୱ ପ୍ରତାପ ସେଠଙ୍କୁ ନିୟୋଜିତ କରାଯାଇଛି । ଯାତ୍ରା ପୂର୍ବରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଟ୍ରେନରେ ଡାକ୍ତରୀ ଦଳ ମଧ୍ୟ ରହିବେ । ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଆବଶ୍ୟକୀୟ ସାମଗ୍ରୀ ସହିତ ଏକ କିଟ୍ ପ୍ରଦାନ କରାଯିବ । ଯାତ୍ରା ପୂର୍ବରୁ ସଂସ୍କୃତି ଭବନଠାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଯାତ୍ରାର ସମସ୍ତ ବ୍ୟବସ୍ଥା ସହ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦାୟିତ୍ୱ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ବାହ କରାଯାଉଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାଜେଶ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.