
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦେଶ ତଥା ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସମଗ୍ରୀର ଅହେତୁକ ଭାବେ ବୃଦ୍ଧିକୁ ନେଇ ଆଜି ସୁବର୍ଣ୍ଣପୁରରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଇବା ତେଲ, ଚିନି, ଅଟା, ପିଆଜ, ଆଳୁ ସହ ଅନ୍ୟାନ୍ୟ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସମଗ୍ରୀର ଦର ବୃଦ୍ଧି ଘଟିଛି । କେନ୍ଦ୍ର ତଥା ରାଜ୍ୟ ସରକାର ଏହି ସବୁ ସମଗ୍ରୀର ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି । ଏନେଇ କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତା ଜିତେନ୍ଦ୍ର ପଟ୍ଟନାୟକ, ସୁଧିର ପଣ୍ଡା, ଶେଷଦେବ ମେହେର, ସରୋଜ ପ୍ରଧାନ, ନଗର ସଭାପତି ରଞ୍ଜିତ ରାଏ, ରାଜେନ୍ଦ୍ର ମେହେର, ବରୁଣ ସୁନା, ସଚ୍ଚିଦାନନ୍ଦ ସାହୁ, ଅବକାଶ ଦର୍ଜୀ ପ୍ରମୁଖ ଅନେକ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ ।